କନକ ବ୍ୟୁରୋ : ଆଜି ବରଗଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବହୁ ପ୍ରତୀକ୍ଷିତ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଓ କ୍ୟାନ୍ସର ହସ୍ପିଟାଲର ଉଦଘାଟନ କରିବେ । ଭୁବନେଶ୍ୱରରୁ ହେଲିକ୍ୟାପ୍ଟର ଯୋଗେ ବାହାରି ମୁଖ୍ୟମନ୍ତ୍ରୀ ଦିନ ୧୧ଟା ୫୦ ମିନିଟରେ ସେ ବିଜେପୁର ବ୍ଲକ କନାପାଳି ଠାରେ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବେ । ଏହାପରେ କନାପାଲି ପମ୍ପ ହାଉସ ପରିଦର୍ଶନ କରି ଆୟୋଜିତ ସଭାରେ ସାମିଲ ହେବେ । ଗସ୍ତ ଅବସରରେ ବରଗଡ ଜିଲ୍ଲାର ବହୁ ପ୍ରତୀକ୍ଷିତ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଉଦଘାଟନ ସହ ଅତ୍ୟାଧୁନିକ କ୍ୟାନ୍ସର ହସ୍ପିଟାଲର ଲୋକାର୍ପଣ କରିବେ ।

୧୬୭୭ କୋଟି ୪୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଜିଲ୍ଲାର ସବୁଜ ବିପ୍ଲବ ଆଣିବ ବୋଲି ଆଶା କରାଯାଉଛି । ସେହିପରି ୧୦୬ କୋଟି ୬ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଶହେ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ କ୍ୟାନ୍ସର ହସ୍ପିଟାଲ ପଶ୍ଚିମ ଓଡିଶାର କର୍କଟ ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବ । ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ପ୍ରାୟ ୧୨୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୫ ମହଲା ବିଶିଷ୍ଟ କ୍ୟାନ୍ସର ହସ୍ପିଟାଲ ନିର୍ମାଣ ହୋଇଛି । ସେହିପରି ମୁଖ୍ୟମନ୍ତ୍ରୀ ଗସ୍ତ ଅବସରରେ ୨୨କୋଟି ୭୮ ଲକ୍ଷ ଟଙ୍କା ବ୍ୟୟରେ ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହ ନାଥ ମନ୍ଦିରର ଉନ୍ନତିକରଣ କାର୍ଯ୍ୟର ଉଦଘାଟନ କରିବେ । ଏହାଛଡା ମୁଖ୍ୟମନ୍ତ୍ରୀ ୩୪୨ କୋଟି ୬୯ ଲକ୍ଷ ୬୩ ହଜାର ଟଙ୍କା ବ୍ୟୟରେ ନିର୍ମିତ ୫୯ଟି ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିବେ । ସେହିପରି ୨୬୩ କୋଟି ୩୩ ଲକ୍ଷ ୧୮ ହଜାର ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୨୧ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିବେ ନବୀନ ପଟ୍ଟନାୟକ ।