ଆଜି ସ୍ୱାଭିମାନ ଅଂଚଳବାସୀଙ୍କ ସହ କଥାହେବେ ମୁଖ୍ୟମନ୍ତ୍ରୀ : ଲୋକଙ୍କ ସହ ସିଧାସଳଖ କଥା ହୋଇ ବିକାଶ କାମର କରିବେ ସମୀକ୍ଷା

୯ଟି ପଂଚାୟତର ପ୍ରତ୍ୟେକ ଲୋକଙ୍କୁ ୪-ଜି ମୋବାଇଲ ବଂଟନ କାର୍ଯ୍ୟକ୍ରମର କରିବେ ଶୁଭାରମ୍ଭ

86

କନକ ବ୍ୟୁରୋ : ମାଲକାନଗିରିର ସ୍ୱାଭିମାନ ଅଂଚଳବାସୀଙ୍କ ସହ ଆଜି କଥାହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନ ସାଢେ ୧୧ଟାରେ ଲୋକଙ୍କ ସହିତ ସିଧାସଳଖ ଫୋନ ଯୋଗେ କଥା ହେବେ ନବୀନ ପଟ୍ଟନାୟକ । ଅଂଚଳରେ ବିକାଶ କାମର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଏଥିସହିତ ୯ଟି ପଂଚାୟତର ପ୍ରତ୍ୟେକ ବ୍ୟକ୍ତିଙ୍କୁ ୪-ଜି ମୋବାଇଲ ଫୋନ ବଂଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ।

୨୦୧୮ ଜୁଲାଇରେ ଗୁରୁପ୍ରିୟା ସେତୁ ଉଦଘାଟନ ପରେ ବାଲିମେଳା ଜଳ ଭଣ୍ଡାର ଆରପଟେ ଥିବା ୯ଟି ପଂଚାୟତକୁ ବିଚ୍ଛିନ୍ନାଂଚଳ କୁହାଯାଉଥିବାବେଳେ ଏଠାକାର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ସରକାର ଅନେକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ତେଣୁ ଏସବୁ ଜନକଲ୍ୟାଣକାରୀ ଯୋଜନାଗୁଡିକ କେତେ ସଫଳ ହୋଇଛି, ସେନେଇ ଲୋକଙ୍କ ସହ ସିଧାସଳଖ କଥାହୋଇ ସମୀକ୍ଷା କରିବେ ନବୀନ ।

ଏଥିସହ ସ୍ୱାଭିମାନ ଅଂଚଳରେ ଭାରତୀ ଏୟାରଟେଲ ପକ୍ଷରୁ ୪-ଜି ଟାୱାର ସ୍ଥାପନ କରାଯାଇଛି । ତେଣୁ ୪-ଜି ସେବା ଆରମ୍ଭ ହୋଇଥିବାବେଳେ ସରକାରୀ ଯୋଜନା ଲୋକଙ୍କ ପାଖରେ ପହଂଚାଇବାକୁ ସରକାର ୯ଟି ପଂଚାୟତର ପ୍ରତ୍ୟେକ ଲୋକଙ୍କୁ ମୋବାଇଲ ଫୋନ ବଂଟନ କରିବାକୁ ନିଷ୍ପତି କରିଛନ୍ତି । ଫଳରେ ପିଲାଏ ଏଲନାଇନରେ ପାଠ ପଢିବା ସହ ସରକାରୀ ଯୋଜନାର ଲାଭ ପାଇପାରିବେ ।