ଦେଶରେ ସପ୍ତମ ତଥା ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର । ଏପ୍ରିଲରୁ ଚାଲିଥିବା ପ୍ରଚାର କୋଳାହଳରେ ସନ୍ଧ୍ୟା ପରେ ଲାଗିବ ବ୍ରେକ

133

କନକ ବ୍ୟୁରୋ : ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ରାଜ୍ୟ ଓ ଦେଶରେ ପ୍ରଚାରର ଶେଷ ଦିନ । ଜୁନ ୧ ତାରିଖରେ ଓଡିଶାରେ ଚତୁର୍ଥ ପର୍ଯ୍ୟାୟ ଓ ଦେଶରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ପାଇଁ ପଡିବ ଭୋଟ । ଏଥିପାଇଁ ଆଜି ସନ୍ଧ୍ୟା ସୁଦ୍ଧା ସବୁ ଦଳ ପ୍ରଚାର ଶେଷ କରିବେ । ଶେଷ ଦିନରେ ମାରାଥନ ପ୍ରଚାର ପାଇଁ ସବୁ ଦଳ ଯୋଜନା କରିଛନ୍ତି । ଆଜି ପ୍ରଚାର ସହିତ ଗତ ଏପ୍ରିଲ ମାସରୁ ଆରମ୍ଭ ହୋଇଥିବା ପ୍ରଚାର କୋଳାହଳ ଉପରେ ବ୍ରେକ ଲାଗିବ ।

ବିଜେଡି, ବିଜେପି, କଂଗ୍ରେସ ସମେତ ସମସ୍ତ ପ୍ରମୁଖ ଦଳର ତୁଙ୍ଗ ନେତାମାନେ ମାରାଥନ ପ୍ରଚାର କରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ସବୁ ଶକ୍ତି ଲଗାଇ ଦେଇଛନ୍ତି । ପ୍ରଚାରର ଶେଷ ଦିନରେ ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧୀ । ଭଦ୍ରକର ସିମୁଳିଆରେ ଏକ ଜନସଭାକୁ ସମ୍ବୋଧିତ କରି କଂଗ୍ରେସ ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ବିଜେଡି ସୁପ୍ରିମୋ ଆଜି ବିଭିନ୍ନ ସ୍ଥାନରେ ମାରାଥନ ପ୍ରଚାର କରିବେ । ଭଦ୍ରକର ଚାନ୍ଦବାଲିରେ ବିଶାଳ ସଭାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ନବୀନ ପଟ୍ଟନାୟକ । ବିଜେଡି ନେତା ଭିକେ ପାଣ୍ଡିଆନ ବାଲେଶ୍ୱରରେ ପ୍ରଚାର କରିବେ । ସେହିପରି ବିଜେପି ନେତା ଧର୍ମେନ୍ଦ୍ର୍ ପ୍ରଧାନ ଓ ଅନ୍ୟ ବରିଷ୍ଠ ବିଜେପି ନେତା ବିଭିନ୍ନ ସ୍ଥାନରେ ପ୍ରଚାର କରିବା କାର୍ଯ୍ୟକ୍ରମ ରହିଛି । ଓଡିଶାର ଚତୁର୍ଥ ପର୍ଯ୍ୟାୟରେ ୬ ଲୋକସଭା ଆସନ ଓ ସେହି ସଂସଦୀୟ କ୍ଷେତ୍ର ଅଧିନରେ ଥିବା ୪୨ ଆସନରେ ଆସନ୍ତା ୧ ତାରିଖରେ ଭୋଟ ଗ୍ରହଣ ହେବ । ସେହିପରି ଦେଶର ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୭ଟି ସଂସଦୀୟ ଆସନ ପାଇଁ ମତ ଅଧିକାର ସାବ୍ୟସ୍ତ କରିବେ ଭୋଟର ।