ତିନି ଦିନ ହେଲା ସୁରୁଖୁରରେ ଚାଲିପାରୁନି ଗୃହ । ଆଜି କାର୍ଯ୍ୟକାଳ ସ୍ୱାଭାବିକ ହେବା ନେଇ ଆଶା । ହେଲେ କ୍ୟାବିନେଟ୍ ନିଷ୍ପତି ପ୍ରତ୍ୟାହାର ପାଇଁ ବିଜେପିର ଜିଦ୍ ।

51

କନକ ବ୍ୟୁରୋ: ଆଦିବାସୀ ଜମି ହସ୍ତାନ୍ତର ପ୍ରସଙ୍ଗକୁ ନେଇ ତିନିଦିନ ହେଲା ଚାଲିପାରୁନି ଗୃହ । ବିରୋଧୀଙ୍କ ଗୋଟିଏ ଜିଦ୍ ଯେ, ଆଦିବାସୀ ଜମି ହସ୍ତାନ୍ତର ବିଲ୍ ସ୍ଥଗିତ ନୁହେଁ ପ୍ରତ୍ୟାହାର କରାଯାଉ । ଏଥିପାଇଁ ବାରମ୍ବାର ଗୃହକୁ ଅଚଳ କରିବାକୁ ପଡ଼ିଛି । ତେବେ ଆଜି ଗୃହ ସ୍ୱାଭାବିକ ହେବ ନା ପୁଣି ହଟ୍ଟଗୋଳ ହେବ, ତା’ ଉପରେ ରହିଛି ନଜର ।

ଗୁରୁବାର ଆଦିବାସୀ ଜମି ହସ୍ତାନ୍ତର ପ୍ରସଙ୍ଗକୁ ନେଇ ଗୃହ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜଭବନ ଯାଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଥିଲା ବିଜେପି ବିଧାୟକ । ଜମିଜମା ବିକ୍ରି ସଂକ୍ରାନ୍ତୀୟ ବିଲ୍କୁ ସଂପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ରାଜ୍ୟପାଳଙ୍କୁ ଭେଟିଥିଲା ଦଳ । ସେହିପରି କଂଗ୍ରେସ, ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲା । ଶୀତ ଅଧିବେଶନର ତୃତୀୟ ଦିନରେ ଯଦିଓ ଦ୍ୱିତୀୟାର୍ଦ୍ଧ ଗୃହକାର୍ଯ୍ୟ ଚାଲିଥଲା, ତଥାପି ପ୍ରଥମାର୍ଦ୍ଧ ସଂପୂର୍ଣ୍ଣ ଧୋଇ ହୋଇଯାଇଥିଲା । ନା’ ପ୍ରଶ୍ନକାଳ ଚାଲିପାରିଥିଲା, ନା’ ଶୂନ୍ୟକାଳ । ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ ବିରୋଧୀ । ପ୍ଲା-କାର୍ଡ ଧରି ବାଚସ୍ପତିଙ୍କ ପୋଡିଅମ୍ ଆଗରେ ପ୍ରତିବାଦ କରିଥିଲେ ।