ଆଜି ପୌଷ ପୂର୍ଣ୍ଣିମା । ଶ୍ରୀମନ୍ଦିରରେ ମହାପଭୁଙ୍କର ହେବ ଦେବାଭିଷେକ ଓ ସୁନାବେଶ, ସେପଟେ  ରାଜାଧିରାଜ ବେଶରେ ଦର୍ଶନ ଦେବେ ପ୍ରଭୁ ଅଲାରନାଥ

475

କନକ ବ୍ୟୁରୋ : ଆଜି ଶ୍ରୀମନ୍ଦିରରେ ପାଳନ ହେବ ମହୁପ୍ରଭୁଙ୍କ ଦେବାଭିଷେକ । ଏହି ଅବସରରେ ଶ୍ରୀବିଗ୍ରହଙ୍କ ସୁନାବେଶ ଅନୁଷ୍ଠିତ ହେବ । ରତ୍ନସିଂହାସନରେ ଠାକୁରଙ୍କ ଅଭିଷେକ ନୀତି ସମ୍ପନ୍ନ ହେବ । ଆଜିର ଦିନରେ ପ୍ରଭୁ ରାମଚନ୍ଦ୍ର ବନବାସରୁ ଫେରି ରାଜା ହୋଇଥିଲେ । ତେଣୁ ଶ୍ରୀମନ୍ଦିର ପରମ୍ପରା ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପୁଷ୍ୟାଭିଷେକ ନୀତି ପାଳନ ହେବ । ଏଥିପାଇଁ ଗୁରୁବାର ଚନ୍ଦନଲାଗି ନୀତି ପରେ ଭୋଗମଣ୍ଡପ ଘରେ ଜଳ ଓ ଘୃତ ଅଧିବାସ ହୋଇଛି । ଶୁକ୍ରବାର ସକାଳ ଧୂପ ସରିବା ପରେ ସ୍ୱତନ୍ତ୍ର ନୀତି ହେବ । ରତ୍ନସିଂହାସନ ତଳେ ଥିବା ଦର୍ପଣରେ ଶ୍ରୀଜଗନ୍ନାଥଙ୍କ ବାଡରେ ଅଭିଷେକ ନୀତି ଅନୁଷ୍ଠିତ ହେବ । ପରେ ମହାପ୍ରଭୁଙ୍କ ସୁନାବେଶ ସମ୍ପନ୍ନ ହେବ ।

alaranathସେପଟେ  ଶ୍ରୀ ଅଲାରନାଥଙ୍କ ପୁଷ୍ୟାଭିଷେକ ଓ ରାଜାଧିରାଜ ବେଶ ଅନୁଷ୍ଠିତ ହେବ । ସେଥିପାଇଁ ଆଜି ପ୍ରଭୁ ଅଲାରନାଥଙ୍କ ପୀଠରେ ସ୍ୱତନ୍ତ୍ର ପୂଜାର ବ୍ୟବସ୍ଥା କରାଯାଇଛି । ରାତି ତମାମ ଜାରି ରହିଛି ପୂଜାପାଠ । ବଡ ସିଂହାର ବେଶରେ ଦର୍ଶନ ଦେଉଛନ୍ତି ଅଲାରନାଥ । ଦ୍ୱିପ୍ରହର ଧୂପ ପରେ ଶ୍ରୀଜୀଉଙ୍କ ପୁଷ୍ୟାଭିଷେକ ନୀତି ସମାପନ ହେବ । ଗତକାଲି ପୋଖରୀରୁ ପଚତୀର୍ଥରୁ ସଂଗୃହିତ ହୋଇଥିବା ୧୦୮ କଳସ ଜଳରେ ମହାପ୍ରଭୁ ମହାସ୍ନାନ କରିବେ ।  ଏହା ପରେ ମହାପ୍ରଭୁଙ୍କର ରାଜାଧି ରାଜ ବେଶ ହେବ ।