ଆଜିଠାରୁ ସୌରଭ ସମ୍ଭାଳିବେ ବିସିସିଆଇ । ଅଧ୍ୟକ୍ଷ ଭାବେ ଔପଚାରିକ ଘୋଷଣା ସହ କାର୍ଯ୍ୟଭାର ଗ୍ରହଣ କରିବେ ଗାଙ୍ଗୁଲି, ବିସିସିଆଇ ଓ ଭାରତୀୟ କ୍ରିକେଟରେ ସମସ୍ୟାର ସମାଧାନ ଉପରେ ଫୋକସ୍

430

କନକ ବ୍ୟୁରୋ : ଆଜିଠାରୁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ, ବିସିସିଆଇର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେବେ ସୌରଭ ଗାଙ୍ଗୁଲି । ଏହି ପଦ ପାଇଁ କେବଳ ସୌରଭ ହିଁ ନାମାଙ୍କନ ଭରିଥିବାରୁ ଆଗରୁ ନିର୍ବାଚିତ ହୋଇସାରିଛନ୍ତି, ତେବେ ଆଜି ତାଙ୍କ ନଁକୁ ଔପଚାରିକ ଭାବେ ଘୋଷଣା କରାଯିବ । ସୌରଭ ବିସିସିଆଇର ଅଣଚାଳିଶତମ ଅଧ୍ୟକ୍ଷ ହେବେ । ଫଳରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସନିକ କମିଟିର ୩୩ ମାସର ଶାସନ ଶେଷ ହୋଇଯିବ । ଆଗାମୀ ୯ ମାସ ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିବେ ।

ଆସନ୍ତା ବର୍ଷ ଜୁଲାଇ ପର୍ଯ୍ୟନ୍ତ ସୌରଭ ନିଜ ପଦ ସମ୍ଭାଳିବେ । ସୌରଭଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ପୁଅ ଜୟ ଶାହା ବିସିସିଆଇର ସମ୍ପାଦକ ପଦ ସମ୍ଭାଳିବେ । କ୍ରିକେଟ ପ୍ରଶାସନ କ୍ଷେତ୍ରରେ ସୌରଭଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି । ସେ ବେଙ୍ଗଲ କ୍ରିକେଟ୍ ଆସୋସିଏସନର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । କ୍ରିକେଟ ପରାମର୍ଶଦାତା କମିଟିର ସଦସ୍ୟ ରହିବା ସହ ଆଇପିଏଲ ଦଳର କାର୍ଯ୍ୟକର୍ତା ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି । ବିସିସିଆଇ ଓ ଭାରତୀୟ କ୍ରିକେଟରେ ସମସ୍ୟା ଗୁଡ଼ିକର ସମାଧାନ କରିବା ଉପରେ ଜୋର ଦେବେ ବୋଲିି କହିଛନ୍ତି ସୌରଭ । ଦ୍ୱେତ ସ୍ୱାର୍ଥକୁ ନେଇ ଜଟିଳତାକୁ ମଧ୍ୟ ସରଳ କରିବା ଉପରେ ସେ ଜୋର ଦେଇଛନ୍ତି ।