କନକ ବ୍ୟୁରୋ: ଆଜିଠାରୁ ପୁଣି ଆରମ୍ଭ ହେଉଛି ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ । ବିଧାନସଭା ଲାଗି ଉଭୟ ଶାସକ ଓ ବିରୋଧୀ ପ୍ରସ୍ତୁତ ଥିବା ସୂଚନା ମିଳିଛି । ଆଜି ଗୃହରେ ମଣ୍ଡିରୁ ଧାନ ଉଠୁନଥିବା ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀ ସଜବାଜ ହେଉଥିବା ଆଭାସ ମିଳୁଛି । କେବଳ ଧାନ କଥା ନୁହେଁ ବରଂ ଗୃହକୁ ୟେସ ବ୍ୟାଙ୍କ ପ୍ରସଙ୍ଗ ବି ସରଗରମ କରିବ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । କିଛିଦିନ ହେବ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଉପରେ ଯେମିତି ଭାବରେ ବିରୋଧୀମାନେ ବର୍ଷୁଛନ୍ତି ତାହା ସ୍ପଷ୍ଟ ହେଉଛି ।
ସରକାର ଜାଣିଶୁଣି ଜଗନ୍ନାଥଙ୍କ ଟଙ୍କା ୟେସ ବ୍ୟାଙ୍କରେ ରଖିଥିଲେ କେବଳ ସୁଧ ଲୋଭରେ ବୋଲି ବଜେପି ପୂର୍ବରୁ ମଧ୍ୟ ଅଭିଯୋଗ କରିଛି । ସେପଟେ ନିୟମ ବିରୋଧରେ ଯାଇ ଠାକୁରଙ୍କ ଟଙ୍କା କାହିଁକି ଘରୋଇ ବ୍ୟାଙ୍କରେ ରଖାଯାଇଛି ବୋଲି କଂଗ୍ରେସ ମଧ୍ୟ ପ୍ରଶ୍ନ କରିଛି । ତେବେ ଏହାରି ମଧ୍ୟରେ ଗୃହ ଆରମ୍ଭ ହେବାକୁ ଯାଉଛି । ତେବେ ବିରୋଧୀଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ଶାସକ ଦଳ ମଧ୍ୟ ନିଜକୁ ପ୍ରସ୍ତୁତ କରିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି ।