ଆଇନଜୀବୀ ହତ୍ୟାକାଣ୍ଡର ପ୍ରତିବାଦ ! ପୁରୀରେ ଆଜି ଓକିଲଙ୍କ ୧୨ ଘଂଟିଆ ବନ୍ଦ, ଅଠରନଳାରେ ରାସ୍ତାରୋକ

24

କନକ ବ୍ୟୁରୋ: ଆଜି ପୁରୀ ବନ୍ଦ । ପୁରୀରେ ଆଇନନଜୀବୀ ଲକ୍ଷ୍ମୀଧର ମହାପାତ୍ର ହତ୍ୟାକାଣ୍ଡ ପ୍ରତିବାଦରେ ଆଜି ସକାଳୁ ୧୨ ଘଂଟିଆ ବନ୍ଦ ପାଳନ ଆରମ୍ଭ ହୋଇଛି । ପୁରୀ ଓକିଲ ସଂଘ ଏହି ବନ୍ଦ ଡାକରା ଦେଇଛି । ଅଠରନଳାରେ ଓଳିଲମାନେ ରାସ୍ତା ଅବରୋଧ କରିଛନ୍ତି । ହାଇକୋର୍ଟ ଓକିଲ ମଧ୍ୟ ଏହି ଆନ୍ଦୋଳନକୁ ସମର୍ଥନ କରିଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲା ଓକିଲ ସଂଘ ବି ପୁରୀ ଓକିଲଙ୍କ ଆନ୍ଦୋଳନକୁ ସମର୍ଥନ କରିଛନ୍ତି । ହାଇକୋର୍ଟ ବାର ଆସୋସିଏସନ ବି ଆନ୍ଦୋଳକୁ ସମର୍ଥନ ଜଣାଇ ପୁରୀର ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଉଦବେଗ ପ୍ରକାଶ କରିଛି । ଘଟଣା ପ୍ରତିବାଦରେ କୋର୍ଟ ବର୍ଜନ ପାଇଁ ବି ଓକିଲମାନେ ନିଷ୍ପତି ହୋଇଛି । ଆଇନଜୀବୀଙ୍କ ଉପରେ ଆକ୍ରମଣ ବରଦାସ୍ତ କରାଯିବ ନାହିଁ ବୋଲି ମତ ଦେଇଛି ବାର ଆସୋସିଏସନ ।

ସୂଚନା ମୁତାବକ, ଆଇନଜୀବୀ ଲକ୍ଷ୍ମୀଧର ମହାପାତ୍ର ହତ୍ୟାକାଣ୍ଡ ପ୍ରତିବାଦରେ ଆଜି (୨୪ ତାରିଖ) ପୁରୀ ଓକିଲ ସଂଘ ପକ୍ଷରୁ ୧୨ ଘଣ୍ଟିଆ ପୁରୀ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ପାଇଁ ସଂଘ ପକ୍ଷରୁ ମାଇକ୍ ଯୋଗେ ପ୍ରଚାର କରାଯାଇଛି । ଏଥିସହ ମୋଟର ସାଇକଲ ରାଲି, ମଶାଲ ଶୋଭାଯାତ୍ରା ଓ ଷ୍ଟ୍ରିଟ୍ କର୍ଣ୍ଣର ମିଟିଂର ଆୟୋଜିତ ହୋଇଛି । ଏଥିପାଇଁ ମଧ୍ୟ ଓକିଲମାନେ କାର୍ଯ୍ୟବନ୍ଦ କରିଥିଲେ ।

ତେବେ ପୁରୀ ବାର ଆସୋସିଏସନ ପକ୍ଷରୁ ପୁରୀ ବନ୍ଦ ଡାକରା ଦିଆଯାଇଥିବା ବେଳେ ରାଜ୍ୟର ସମସ୍ତ ଜିଲ୍ଲାର ଓକିଲ ସଂଘ ଏହି ବନ୍ଦକୁ ନୈତିକ ସମର୍ଥନ କରିଥିବା ଜଣାପଡ଼ିଛି । ଆଜି ସମସ୍ତ ଜିଲ୍ଲାର ବାର ଆସୋସିଏସନ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛି । ଆଗାମୀ ଦିନରେ ଏହି ଆନ୍ଦୋଳନ ସମଗ୍ର ଦେଶକୁ ପ୍ରସାରିତ କରିବା ପାଇଁ ପୁରୀ ବାର ଆସୋସିଏସନ ଯୋଜନା କରିଛି । ସେହିପରି ଖୁବ୍ ଶୀଘ୍ର ଭୁବନେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା, ପିପିଲି ଓକିଲ ସଂଘ ପକ୍ଷରୁ ଏକ ମିଳିତ ମୋଟର ସାଇକେଲ ରାଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ସେଠାରେ ପୁରୀ ଜିଲ୍ଲାପାଳ ଓ ଏସ୍ପିଙ୍କର ବଦଳି ଦାବି କରାଯିବ ବୋଲି ପୁରୀ ଓକିଲ ସଂଘ ପକ୍ଷରୁ କୁହାଯାଇଛି ।