ଆଜିଠୁ ଆୟୁଷ୍କାନ ଭାରତ । ଝାଡଖଣ୍ଡର ରାଂଚିରେ ଶୁଭାରମ୍ଭ କରିବେ ମୋଦି । ସାମିଲ ହେବେ ୫୦ କୋଟି ଲୋକ, ମିଳିବ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା

23

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବହୁ ପ୍ରତୀକ୍ଷିତ ତଥା ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ବୀମା ଯୋଜନା ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ କରିବେ । ଝାଡଖଣ୍ଡର ରାଂଚିରୁ ଏହାର ଶୁଭାରମ୍ଭ ହେବ । ତେବେ ବିଧିବଦ୍ଧ ଭାବେ ଏହା ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ । ଏହି ଯୋଜନାର ଦେଶର ୧୦ କୋଟିରୁ ଅଧିକ ଗରିବ ପରିବାର ସାମିଲ ହେବେ । ପ୍ରାୟ ୫୦ କୋଟି ଲୋକଙ୍କୁ ଏହି ଯୋଜନାର ହିତାଧିକାରୀ କରାଯିବ । ସାମାଜିକ, ଅର୍ଥନୈତିକ ଜାତିଗତ ଜନଗଣନା ତଥ୍ୟ ଆଧାରରେ ହିତାଧିକାରୀ ଚୟନ କରାଯାଇଛି ।

ପ୍ରତିବର୍ଷ ପ୍ରତ୍ୟେକ ପରିବାରକୁ ୫ ଲକ୍ଷ ଲେଖାଁଏ ଟଙ୍କାର ସ୍ୱାସ୍ଥ୍ୟବୀମା ଯୋଗାଇ ଦିଆଯିବ । କର୍କଟରୋଗଠାରୁ ଆରମ୍ଭ କରି ହୃଦରୋଗ, ମସ୍ତିଷ୍କ, ମେରୁଦଣ୍ଡର ଅସ୍ତ୍ରୋପଚାର ଭଳି ଚିକିତ୍ସା ଏହି ଯୋଜନାରେ ହିତାଧିକାରୀଙ୍କୁ ମିଳିବ । ସେହିଭଳି ଏମଏରଆଇ ଓ ସିଟି ସ୍କାନ ଭଳି ପରୀକ୍ଷା ମଧ୍ୟ କରାଯାଇପାରିବ । ଏହି ଚିକିତ୍ସା ପାଇଁ ରୋଗୀଙ୍କୁ କୌଣସି ନଗଦ ଅର୍ଥ ଦେବାକୁ ପଡିବ ନାହିଁ । ଏହି ଯୋଜନାର ଲାଭ ପାଇବାକୁ ହେଲେ ଆଧାରକାର୍ଡ ବାଧ୍ୟତାମୂଳକ ନୁହେଁ ।

ଆୟୁଷ୍କାନ ଯୋଜନା ପାଇଁ ୮ ହଜାର ୭୩୫ଟି ସରକାରୀ ଓ ଘରେଇ ଡାକ୍ତରଖାନାକୁ ଚୟନ କରାଯାଇଛି । ଏହିସବୁ ଡାକ୍ତରଖାନାରେ ଜଣେ ଲେଖାଁଏ ଆୟୁଷ୍କାନ ମିତ୍ର ରହିବେ । ଏହି ଯୋଜନା ବାବଦ ଖର୍ଚରୁ କେନ୍ଦ୍ର ସରକାର ୬୦ ପ୍ରତିଶତ ଓ ରାଜ୍ୟ ସରକାର ୪୦ ପ୍ରତିଶତ ବହନ କରିବେ । ଓଡିଶା, ତେଲେଙ୍ଗାନା, ଦିଲ୍ଲୀ, କର୍ଣ୍ଣାଟକ, କେରଳ ଓ ପଞ୍ଜାବ ଭଳି ରାଜ୍ୟ ଏହି ଯୋଜନାରେ ସାମିଲ ହେବାକୁ ମନା କରିଦେଇଛନ୍ତି ।