କନକ ବ୍ୟୁରୋ : ବଜ୍ରକାପ୍ତା ଚୋରା ଚାଲାଣ ପ୍ରସଙ୍ଗକୁ ନେଇ ତିନିମାସ ଧରି ଓଡ଼ିଶା ଉଠୁଛି ପଡୁଛି । ଆଶଙ୍କା ପ୍ରକାଶ ପାଇଲାଣି ଯେ ପରବର୍ତୀ ପିଢ଼ି ଅତି ବିରଳ ଏହି ପତଙ୍ଗଭୋଜୀ ପ୍ରାଣୀ ବଜ୍ରକାପ୍ତା ପୃଥିବୀ ପୃଷ୍ଠରେ ଅଛି ବୋଲି ଜାଣିବା ପୂର୍ବରୁ ତାହା ଲୋପ ପାଇଯିବା ବିଚିତ୍ର ନୁହେଁ। ଏଇଥିପାଇଁ ରାଜ୍ୟ ସରକାର ଜାଣି ବି ଏହି ପ୍ରାଣୀର ସୁରକ୍ଷା ପାଇଁ ଯେଭଳି ପଦକ୍ଷେପ ନେବା କଥା ତାହା ଦେଖିବାକୁ ମିଳୁନାହିଁ।  ବିଶ୍ବ ବଜ୍ରକାପ୍ତା ଦିବସ। ୮ ବର୍ଷରୁ ପୂର୍ବରୁ ଏହାର ଆରମ୍ଭ ହୋଇଥିଲା । ମାତ୍ର ରାଜ୍ୟ ସରକାର ଜାଣନ୍ତି ନାହିଁ, ବିଲୁପ୍ତ ପ୍ରାୟ ଅବସ୍ଥାକୁ ଚାଲିଆସିଥିବା ବଜ୍ରକାପ୍ତାଙ୍କ ସଂଖ୍ୟା ଓଡ଼ିଶାରେ କେତେ? ଏ ସଂପର୍କରେ ନା ପୂର୍ବରୁ କେବେ ଗଣନା ହୋଇଛି ନା ଗଣମାଧ୍ୟମରେ ତୁହାକୁ ତୁହା ଖବର ପ୍ରକାଶ ପରେ ବି ସରକାର ଏ ସଂପର୍କରେ ଜାଣିବା ଲାଗି ଆଗ୍ରହ ରଖିଛନ୍ତି।

Advertisment

publive-image source : kerdowney.com

ଏହାର ସୁରକ୍ଷା ଲାଗି ରାଜ୍ୟ ସରକାରଙ୍କ ତତ୍ପରତା ମଧ୍ୟ ନାହିଁ। ବନ ବିଭାଗର କାର୍ଯ୍ୟଶୈଳୀ ପରୋକ୍ଷରେ ବଜ୍ରକାପ୍ତା ମାଫିଆଙ୍କୁ ଖୋରାକ ଯୋଗାଉଛି। ଆଠଗଡ଼ ସମେତ ଗୋଟିଏ ଦୁଇଟି ବନଖଣ୍ଡକୁ ଛାଡ଼ିଦେଲେ, ଅନ୍ୟ ଅଞ୍ଚଳରେ ବନ ବିଭାଗ ଅଧିକାରୀମାନେ ହାତ ବାନ୍ଧି ବସିଯାଇଛନ୍ତି। ସୂଚନା ମିଳିଛି, ଏହି ପ୍ରାଣୀର ଅସ୍ତିତ୍ବ ଏବେ ଭୀଷଣ ସଙ୍କଟ ଦେଇ ଗତି କରୁଛି। ଏହି ପ୍ରାଣୀ ଉପରେ ବିଶ୍ବରେ ସବୁଠାରୁ ଅଧିକ ବିପଦ ଥିବା କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି ୧୮୦ଟି ଦେଶର ସରକାର ବଜ୍ରକାପ୍ତା ସୁରକ୍ଷା ଲାଗି ଏକ ଚୁକ୍ତିରେ ସ୍ବାକ୍ଷର କରିଛନ୍ତି।

ସାଧାରଣତଃ ବିଶ୍ବରେ ୮ ପ୍ରକାରର ବଜ୍ରକାପ୍ତା ଦେଖାଯାନ୍ତି। ଏମଧ୍ୟରୁ ୪ଟି ପ୍ରଜାତିର ବଜ୍ରକାପ୍ତା ଏସିଆ ମହାଦେଶରେ ଦେଖାଯାନ୍ତି। ଭାରତୀୟ ବଜ୍ରକାପ୍ତାର ଚାହିଦା ଟିକେ ଅଧିକ। ଓଡ଼ିଶାରେ ଏମାନଙ୍କର ଉପସ୍ଥିତି ରହିଥିବା ଢେର୍ ବର୍ଷ ହେଲାଣି ଜାଣି ବି ସରକାର କୌଣସି ପଦକ୍ଷେପ ନେଇନାହାନ୍ତି। ଏପରିକି ସରକାରୀସ୍ତରରେ ହେବାକୁ ଥିବା ନବମ ବଜ୍ରକାପ୍ତା ଦିବସ ପାଳନ ପାଇଁ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପଦକ୍ଷେପ ନେଇନାହିଁ। ଏହା ମାଧ୍ୟମରେ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବା ଲାଗି ଏକ ପ୍ରକୃଷ୍ଟ ସମୟ ଥିଲା। କେବଳ ଆଠଗଡ଼ ଡିଭିଜନରେ ଏହି ଦିବସ ପାଳନ କରାଯାଉଥିବା ଦେଖାଯାଉଛି।

୨୦୧୮ରେ ଟ୍ରାଫିକ୍ ନାମକ ଏକ ଅନ୍ତର୍ଜାତୀୟ ବନ୍ୟ ପ୍ରାଣୀ ପରିଚାଳନା କରୁଥିବା ସଂସ୍ଥା ରିପୋର୍ଟ ଅନୁସାରେ, ୨୦୦୯ରୁ ୨୦୧୭ ମଧ୍ୟରେ ଭାରତରେ ପ୍ରାୟ ୬୦୦୦ ବଜ୍ରକାପ୍ତାଙ୍କୁ ମାରିଦିଆଯାଇଛି। ୧୦ ପ୍ରତିଶତ କ୍ଷେତ୍ରରେ ଅପରାଧୀ ଧରା ପଡ଼ିଛନ୍ତି। ଓଡ଼ିଶା କ୍ଷେତ୍ରରେ ଏହାର ହାର ଆହୁରି ନଗଣ୍ୟ। ଗତ ଜୁଲାଇମାସରେ କେବଳ ସିଙ୍ଗାପୁର ବନ୍ଦରରେ ୧୪ ଟନ୍ ବଜ୍ରକାପ୍ତା କାତି ଜବତ ହୋଇଥିଲା, ତାହା ଆଲୋଡ଼ନ ସୃଷ୍ଟି କଲାଭଳି।

ମିଳୁଥିବା ସୂଚନା ଅନୁସାରେ, ବଜ୍ରକାପ୍ତା ମିଆଁମାର ଦେଇ ଚୀନ ଓ ଭିଏତନାମକୁ ଯାଉଛି। ଏହାର ମାଂସର ମୂଲ୍ୟ ମଧ୍ୟ ଅମୂଲ୍ୟ। କାତିର ବି ବହୁତ ଚାହିଦା ରହିଛି, କାରଣ ଏଥିରେ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ପ୍ରସ୍ତୁତ ହେଉଛି। ଭାରତରେ ବଜ୍ରକାପ୍ତା ୧ ନମ୍ବର ସିଡ୍ୟୁଲଭୁକ୍ତ ବନ୍ୟ ପ୍ରାଣୀ। ଭାରତର ବନ୍ୟପ୍ରାଣୀ ସୁରକ୍ଷା ଆଇନ୍, ୧୯୭୨ ଅନୁସାରେ ବଜ୍ରକାପ୍ତା ଧରିବା, ମାରିବା ବା ତାର ଦେହାବଶେଷ ରଖିବା ଧର୍ତ୍ତବ୍ୟ ଅପରାଧ। ଏହା ସତ୍ତ୍ବେ ରାଜ୍ୟ ସରକାରଙ୍କ ବନ ବିଭାଗ ଓ ଅଧିକାରୀମାନେ ଏତେ ନିଷ୍କ୍ରିୟ କାହିଁକି? ଏହି ପ୍ରାଣୀକୁ ସୁରକ୍ଷା ଦେବାରେ ରାଜ୍ୟ ଜଙ୍ଗଲ ବିଭାଗର କୌଣସି ଭୂମିକା ନାହିଁ? ଏହି ପ୍ରାଣୀକୁ ସୁରକ୍ଷା ନ ଦେଇ ବିଲୋପ କରିବାକୁ ଛାଡ଼ିଦେବେ? ରାଜ୍ୟ ଯଦି ତୁରନ୍ତ ଏ ଦିଗରେ ପଦକ୍ଷେପ ନ ନିଆଯାଏ, ତେବେ ଏହି ପ୍ରାଣୀ ଲୋପ ପାଇଯିବାର କଳଙ୍କ ରାଜ୍ୟ ସରକାରଙ୍କ ମୁଣ୍ଡକୁ ଯିବ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଖୋଲାଖୋଲି କହିଲେଣି।