କନକ ବ୍ୟୁରୋ: ଆଜି ବସିବ ହାଇକୋର୍ଟର ଫୁଲ ବେଂଚ । ଆଜି ସାଢେ ଦଶଟାରେ ଏହି ବେଂଚ ବସିବ । ମୁଖ୍ୟ ବିଚାରପତିଙ୍କ ସହିତ ତେରଜଣ ବିଚାରପତିଙ୍କୁ ନେଇ ଗଠିତ ଫୁଲ ବେଂଚ ବସି ଏକ ଅଦାଲତ ଅବମାନନା ମାମଲାର ଶୁଣାଣି କରିବେ । ଖଣ୍ଡପୀଠରେ ମୁଖ୍ୟ ବିଚାରପତିଙ୍କ ସହିତ ସମସ୍ତ ବିଚାରପତି ରହିଛନ୍ତି । ଏଭଳି ଘଟଣା ନିକଟ ଅତୀତରେ କେବେ ଘଟିନଥିବା କୁହାଯାଉଛି । ଶୁଣାଣି ହେବାକୁ ଥିବା ଅଦାଲତ ଅବମାନନା ମାମଲା ହାଇକୋର୍ଟ ରେଜିଷ୍ଟ୍ରାର ଜୁଡିସିଆଲଙ୍କ ପକ୍ଷରୁ ଦାୟର ହୋଇଥିବାବେଳେ ଏଥରେ ରାଜ୍ୟ ସରକାର ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି ।

Advertisment

୧୬ ଯାଏ ହାଇକୋର୍ଟ ଆଇନଜୀବୀଙ୍କ କୋର୍ଟ ବର୍ଜନ

ବିଚାରପତି ନିଯୁକ୍ତି ପ୍ରସଂଗକୁ ନେଇ ହାଇକୋର୍ଟର ଆଇନଜୀବୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଗତକାଲି ଦିନ ୨ଟାରୁ ଆଇନଜୀବୀମାନେ କୋର୍ଟ ବର୍ଜନ‌ କରିଥିଲେ। ବୁଧବାର ପର୍ଯ୍ୟନ୍ତ କୋର୍ଟ ବର୍ଜନ ଜାରି ରହିବ ବୋଲି ହାଇକୋର୍ଟ ବାର୍ ଆସୋସିଏସନ୍ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଅକ୍ଟୋବର ୧୬ ତାରିଖ ଦିନ ୧ଟା ୧୫ରେ ଅନୁଷ୍ଠିତ ହେବାକୁ ଥିବା ପରବର୍ତ୍ତୀ ସାଧାରଣ ପରିଷଦ ବୈଠକରେ ଆଲୋଚନା କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ନିଷ୍ପତ୍ତି ଗ୍ରହଣ କରାଯିବ। ଏଥି ସହିତ ନ୍ୟାସନାଲ ଜୁଡିସିଆଲ ଅପଏଣ୍ଟମେଣ୍ଟ କମିସନ୍(ଏନ୍‌ଜେଏସି) ମାଧ୍ୟମରେ ବିଚାରପତି ନିଯୁକ୍ତି କରିବା ପାଇଁ ମତ ପ୍ରକାଶ ପାଇଥିଲା। ସାରା ଦେଶରେ ହାଇକୋର୍ଟ ବିଚାରପତି ନିଯୁକ୍ତି ପ୍ରସଂଗରେ ଏନଜେଏସି ବ୍ୟବସ୍ଥା ଲଗୁ କରିବା ପାଇଁ ଦାବି କରାଯାଇଥିଲା।

ଏହି ପ୍ରସଂଗକୁ ଆଗକୁ ବଢାଇବା ପାଇଁ ଅକ୍ଟୋବର ୧୫ରେ ଏକ ଆକ୍ସନ କମିଟି ଗଠନ ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଏଥିସହିତ ଏହି ପ୍ରସଂଗକୁ ନେଇ ସାରା ରାଜ୍ୟରେ ଗୋଟିଏ ଦିନ ଆନ୍ଦୋଳନ କରାଯିବ। ହାଇକୋର୍ଟ ବାର୍ ଦାବି ସଂପର୍କରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ଅବଗତ କରାଯିବ। ହାଇକୋର୍ଟ ବାର୍ ଆସୋସିଏସନର ଏକ ପ୍ରତିନିଧି ମଣ୍ଡଳୀ ପ୍ରାଧନମନ୍ତ୍ରୀ ଓ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ସାକ୍ଷାତ କରି ଆଲୋଚନା କରିବ। ଏଥିପାଇଁ ଆକ୍ସନ କମିଟି ତାରିଖ ଧାର୍ଯ୍ୟ କରିବ ବୋଲି ପ୍ରସ୍ତାବ ଗ୍ରହଣ କରାଯାଇଛି।