ଆଜି ଓଡିଶା ଫେରିବେ ଜଗାବଳିଆ । ସ୍ୱତନ୍ତ୍ର ଡାକ୍ତରୀଦଳ ସହ ଆଜି ଅପରାହ୍ମରେ ଦିଲ୍ଲୀ ଛାଡିବେ ଜଗାବଳିଆ

257

କନକ ବ୍ୟୁରୋ : ଦିଲ୍ଲୀ ଏମ୍ସରୁ ଆଜି ଓଡିଶା ଫେରିବେ ଯୋଡା ମୁଣ୍ଡରୁ ଅଲଗା ହୋଇଥିବା ଶିଶୁ ଜଗାବଳିଆ । ଏମ୍ସରେ ଡିସଚାର୍ଜ ପୂର୍ବରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଜଗା ବଳିଆଙ୍କ ଚିକିତ୍ସା ସଂପର୍କରେ ଅବଗତ କରାଯିବ । ଏଥିସହ ଆଗାମୀ ଚିକିତ୍ସା ବାବଦରେ ସୂଚନା ଦିଆଯିବା ସମ୍ଭାବନା ରହିଛି । କନ୍ଧମାଳ ଫିରିଙ୍ଗିଆ ବ୍ଲକ ମିଲୁପଡା ଗ୍ରାମର ଶିଶୁ ଜଗା ବଳିଆ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସରେ ୨ ବର୍ଷରୁ ଅଧିକ ଦିନ ରହିବା ପରେ ଓଡିଶା ଫେରିବା ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଉଭୟ ଶିଶୁଙ୍କୁ ଫେରାଇ ଆଣିବା ପାଇଁ ଓଡିଶାରୁ ଯାଇଥିବା ଡାକ୍ତରୀଦଳ ଏମ୍ସ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି ।

ଆଜି ଅପରାହ୍ନରେ ଦିଲ୍ଲୀରୁ ଓଡିଶାକୁ ବାହାରିବେ ଜଗା ବଳିଆ । ଏକ ଡାକ୍ତରୀ ଏ ନର୍ସ ଦଳ ସହ ତାଙ୍କୁ ରାଜଧାନୀ ଏକ୍ସପ୍ରେସ ଯୋଗେ କଟକ ଅଣାଯିବ । ଏହାପରେ କଟକ ଏସସିବିରେ ଦୁଇ ଶିଶୁଙ୍କୁ ରଖାଯାଇ ଚିକିତ୍ସା କରାଯିବା ପାଇଁ ବ୍ୟବସ୍ଥା ହୋଇଛି । ଏଥିପାଇଁ ଏସସିବି ମେଡିକାଲରେ ଏକ ଡାକ୍ତରୀ ଟିମ ମଧ୍ୟ ଗଠନ କରାଯାଇଛି । ଗତକାଲି ଜଗାବଳିଆଙ୍କ ସ୍ୱାସ୍ଥ୍ୟବସ୍ଥା ଯାଂଚ କରିଥିଲେ ଏମ୍ସର ଡାକ୍ତରୀ ଦଳ ।

ଦୁଇ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସହ ଡିସଚାର୍ଜ ପାଇଁ କ୍ଲିନିକାଲ ଫିଟ୍ ଥିବା ଏମ୍ସ ପକ୍ଷରୁ ଦର୍ଶାଯାଇଛି । ୨୦୧୭ ଜୁଲାଇ ୧୪ ତାରିଖରେ ଜଗା ବଳିଆଙ୍କୁ ଯୋଡା ମୁଣ୍ଡ ଥିବା ଅବସ୍ଥାରେ ଏମ୍ସରେ ଭର୍ତି କରାଯାଇଥିଲା । ସେହିବର୍ଷ ଅକ୍ଟୋବର ୨୫-୨୬ ତାରିଖରେ ଜଟିଳ ଅସ୍ତ୍ରୋପଚାର କରି ଦୁଇ ଶିଶୁଙ୍କ ଅଲଗା କରିଥିଲେ ଏମ୍ସର ଡାକ୍ତରମାନେ ।