ରାଜ୍ୟର କରୋନା ସ୍ଥିତି ନେଇ ଆଜି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ବିଭିନ୍ନ ବିଭାଗର ସଚିବ, ଜିଲ୍ଲାପାଳ ଓ ଏସପିମାନଙ୍କ ସହ ଚର୍ଚ୍ଚା କରିବେ ନବୀନ 

180
କନକ ବ୍ୟୁରୋ : ଗତ ୪ ଦିନ ହେଲା କରୋନା ମିଟର ଉପରମୁହାଁ ହେବା ପ୍ରଶାସନର ଚିନ୍ତା ବଢ଼ାଇଛି । ଆଜି ରାଜ୍ୟରେ କରୋନା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଗୋଟିଏ ଦିନରେ ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ ହେବା ମୁଣ୍ଡ ବିନ୍ଧାର କାରଣ ହୋଇଛି ।
ଜାନୁଆରୀ ୨୩ରେ ୧୫୦ ନୂଆ ମାମଲା ଆସିଥିଲା । ଦୁଇ ମାସ ପରେ ପୁଣି ଥରେ କରୋନା ଗ୍ରାଫ୍ ଉପରକୁ ଉଠିଛି । ଭୁବନେଶ୍ୱର ଓ କଟକରେ ସଂକ୍ରମଣ ସଂଖ୍ୟା ବଢ଼ିବା ପରେ ପୁଣି ଥରେ ଛନକା ପଶିଛି । ଗତକାଲି ଏ ନେଇ ଲୋକସେବା ଭବନରେ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । କରୋନା ସଂପର୍କୀତ ଗାଇଡନାଇନକୁ କିଭଳି କଡାକଡି ଭାବେ ପାଳନ କରାଯିବ, କିଭଳି ସଂକ୍ରମଣକୁ ନିୟନ୍ତ୍ରଣ କରାଯିବ ସେନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଛି । ଏବଂ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବା ପାଇଁ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ କରୋନା ସ୍ଥିତି କିଭଳି ରହିଛି, ସେ ସଂପର୍କରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିବେ ।