ନିର୍ଭୟା ଦୋଷୀଙ୍କ ଫାଶୀକୁ ନେଇ ଦୂର ହେବ ଦ୍ୱନ୍ଦ୍ୱ । ଫାଶୀ ରୋକିବାକୁ ଦୋଷୀଙ୍କ ଆବେଦନର ଆଜି ଶୁଣାଣି କରିବେ ଦିଲ୍ଲୀ କୋର୍ଟ

735

କନକ ବ୍ୟୁରୋ : ଆସନ୍ତା କାଲି ନିର୍ଭୟା ଦୋଷୀଙ୍କ ଫାଶୀ ଦିଆଯିବ ନା ନାହିଁ । ଏନେଇ ଦେଖାଦେଇଥିବା ଦ୍ୱନ୍ଦ୍ୱ ଆଜି ଦୂର ହୋଇଯିବ । ଆଜି ଜଣାପଡିଯିବ କାଳି ସକାଳ ୬ଟାରେ ୪ ଦୋଷୀ ଫାଶୀ ଖୁଂଟରେ ଝୁଲିବେ ନା ପୁଣି ଫାଶୀ ତାରିଖ ଟଳିବ । କାରଣ ୪ ଦୋଷୀ ଫାଶି ଦଣ୍ଡ ଉପରେ ରୋକ ଲଗାଇବାକୁ ପଟିଆଲା ହାଉସ କୋର୍ଟରେ ଅପିଲ କରିଛନ୍ତି । ତାଙ୍କ ନ୍ୟାୟିକ ବିକଳ୍ପ ଶେଷ ହୋଇନଥିବାରୁ ଫାଶୀ ଉପରେ ରୋକ ଲଗାଇବାକୁ ତାଙ୍କ ଓକିଲ ଏପି ସିଂ ଆବେଦନ କରିଛନ୍ତି । ଆଜି ଏହାର ଶୁଣାଣି କରିବେ ପଟିଆଲା ହାଉସ କୋର୍ଟ । ୪ ଜଣ ଦୋଷୀ ମୁକେଶ ସିଂ, ପୱନ ଗୁପ୍ତା, ବିନୟ କୁମାର ଶର୍ମା ଏବଂ ଅକ୍ଷୟ କୁମାର ଶର୍ମାଙ୍କୁ ୧ ତାରିଖରେ ଫାଶୀ ଦିଆଯିବ ନା ପୁଣି ନୂଆ ତାରିଖ ଦିଆଯିବ, ସେନେଇ ରାୟ ଶୁଣାଇବେ ଦିଲ୍ଲୀ କୋର୍ଟ । ଅଭିଯୁକ୍ତଙ୍କ ଫାଶୀ ଦଣ୍ଡାଦେଶ ଉପରେ ରୋକ ଲଗାଇବାକୁ ଆବେଦନ ହୋଇଥିବା ବେଳେ ଡେଥ୍ ୱାରେଂଟ୍ ଉପରେ ରୋକ୍ ଲଗାଇବାକୁ ବିରୋଧ କରୁଛନ୍ତି ତିହାର ଜେଲ୍ କର୍ତୃପକ୍ଷ ।

ସେପଟେ ଅଭିଯୁକ୍ତମାନେ ଆଇନର ବିଭିନ୍ନ ଗଳାବାଟ ଦର୍ଶାଇ ଫାଶୀଦଣ୍ଡକୁ ଘୁଂଚାଇ ଚାଲିଥିବା ବେଳେ ଏହାକୁ ଆଇନରୁ ସମ୍ପୂର୍ଣ୍ଣ ପରିହାସ ବୋଲି ସରକାରୀ ଓକିଲ କହିଛନ୍ତି । ତେବେ ଦିଲ୍ଲୀ ଜେଲ୍ ମାନୁଆଲ ଅନୁସାରେ ଗୋଟିଏ ମାମଲାରେ ଏକାଧିକ ଦୋଷୀ ଥିଲେ ଏବଂ ଜଣକର ରାଜକ୍ଷମା ଆବେଦନ ଫଇସଲା ହୋଇନଥିଲେ ଅନ୍ୟମାନଙ୍କୁ ମଧ୍ୟ ଫାଶୀ ଦିଆଯାଇପାରିବ ନାହିଁ । ବୁଧବାର ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ଆବେଦନ କରିଛି ଅନ୍ୟତମ ଅଭିଯୁକ୍ତ ବିନୟ ଶର୍ମା । ସେପଟେ ଫାଶୀରୁ ବଂଚିବା ପାଇଁ ନିର୍ଭୟାକାଣ୍ଡର ଅନ୍ୟତମ ଦୋଷୀ ଅକ୍ଷୟ ସିଂହ ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ପିଟିସନ ଦାଖଲ କରଥିଲା । ତେବେ ଏହାକୁ ଖାରଜ କରିଦେଇଛନ୍ତି କୋର୍ଟ । ତେବେ ଅକ୍ଷୟ ମଧ୍ୟ ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ଆବେଦନ କରିପାରିବ ।