ଆଜି ଚତୁର୍ଦ୍ଧାମୁରତିଙ୍କ ନବଯୌବନ ଦର୍ଶନ । କିଛି ସମୟ ପରେ ହେବ ପରିମାଣିକ ଦର୍ଶନ

ରଥଯାତ୍ରା ପାଇଁ ପୁଲିସ ରିଜର୍ଭ ଗ୍ରାଉଣ୍ଡରେ ହେଲା ମକଡ୍ରିଲ

88

କନକ ବ୍ୟୁରୋ: ଜ୍ୱରରେ ପିଡିତ ଶ୍ରୀଜିଉ ସଂପୂର୍ଣ୍ଣ ସୁସ୍ଥ ହେବାପରେ ଆଜି ନବଯୈ÷ାବନ ଦର୍ଶନ । ଏଥିସହ ଶ୍ରୀବିଗ୍ରହଙ୍କ ନେତ୍ରୋତ୍ସବ ମଧ୍ୟ ଅନୁଷ୍ଠିତ ହେବ । ୧୫ ଦିନର ଅଣସର ପରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଗହଳି ଆରମ୍ଭ ହୋଇଛି । ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭିତର କାଠରୁ ଶ୍ରୀଜୀଉଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ପରିମାଣିକ ଦର୍ଶନ ସାଢେ ୨ଟାରୁ ସାଢେ ୩ଟା ଓ ସର୍ବସାଧାରଣ ଦର୍ଶନ ସାଢେ ୩ଟାରୁ ସାଢେ ୪ଟା ପର୍ଯ୍ୟନ୍ତ ଚାଲିବ ବୋଲି ସ୍ଥିର ହୋଇଛି ।

ଗତକାଲି ତ୍ରୟୋଦଶ ତିଥିରେ ପୁରୀରେ ଶ୍ରୀଜିଉଙ୍କର ପଣାଲାଗି ଏବଂ ଖଳି ବିଜେ ନୀତି ଅନୁଷ୍ଠିତ ହୋଇଥିଲା । ଏଥିସହ ଦତ ମହାପାତ୍ର ସେବକମାନେ ଅଣସରପରେ ବନକଲାଗି ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଆଜି ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ ଅନୁଷ୍ଠିତ ହେବ । ନେତ୍ରୋତ୍ସବ ପାଇଁ ଶ୍ରଦ୍ଧାଳୁଙ୍କ ଦର୍ଶନକୁ ବ୍ୟବସ୍ଥିତ ଓ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ସେପଟେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ମଝିରେ ଆଉ ମାତ୍ର ୨ଦିନ ଥିବାରୁ ମହାରଣା, ଭୋଇ ସେବକ, ରୁପକାର ଓ ଚିତ୍ରକରସେବାୟତମାନେ ତିନିରଥରେ ଶେଷ ସ୍ପର୍ଶ ଦେଉଛନ୍ତି ।

ସେପଟେ ଆଉ ଗୋଟିଏ ଦିନ ପରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପୋଲିସ ପ୍ରଶାସନ ଦ୍ୱାରା ରଥଟଣା ପାଇଁ ମକଡ୍ରିଲ କରାଯାଇଛି । ପୋଲିସ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ମକଡ୍ରିଲ କରାଯାଇଛି । ବଡଦାଣ୍ଡରେ ଯେଭଳି ପର୍ଯ୍ୟାୟକ୍ରମେ ରଥ ଟଣାଯାଇଥାଏ ମକଡିଲରେ ସେଭଳି ରଥ ଟଣାଯାଇଛି । ଯେଉଁଭଳି ଭାବରେ ରଥର ଇନର କର୍ଡନ ଓ ଆଉଟଡୋର କର୍ଡନରେ ଯେଉଁ ଅଧିକାରୀ ଓ କର୍ମଚାରୀମାନେ ରହିଥାନ୍ତି, ସେଭଳି ଭାବରେ ଏଠାରେ ମକଡ୍ରିଲ କରାଯାଇଛି । ମକଡ୍ରିଲରେ ଜିଲ୍ଲାପାଳ ଓ ଏସପିଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।