ମହାରାଷ୍ଟ୍ରରେ କରୋନା ମାୟା । ଗୋଟିଏ ଦିନରେ ୪୩ ହଜାର ସଂକ୍ରମିତ । ଆଜି ହୋଇପାରେ ପୁରା ରାଜ୍ୟ ଲକଡାଉନ୍

784

କନକ ବ୍ୟୁରୋ : ମହାରାଷ୍ଟ୍ରରେ କରୋନାର ବିସ୍ଫୋଟକ ରୂପ । ଗୋଟିଏ ଦିନରେ ୪୩,୧୮୩ ପଜିଟିଭ୍ ଚିହ୍ନଟ । ମହାରାଷ୍ଟ୍ରରେ ଗୁରୁବାର ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ଚଳିତ ବର୍ଷ ବିଶ୍ୱର ମାତ୍ର ୪ ଟି ଦେଶର ସଂକ୍ରମିତ ସଂଖ୍ୟା ଠାରୁ କିଛି କମ୍ । ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଧାରରେ ପ୍ରଥମେ ବ୍ରାଜିଲ ଥିବା ବେଳେ ଦ୍ୱିତୀୟରେ ରହିଛି ନିଜେ ଭାରତ, ତୃତୀୟରେ ଆମେରିକା ରହିଥିବା ବେଳେ ଚତୁର୍ଥରେ ଫ୍ରାନ୍ସ ରହିଛି । ଏହାପରେ ସବୁଠାରୁ ଅଧିକ ମାମଲା କେବଳ ମହାରାଷ୍ଟ୍ର ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ।

ଏନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶୁକ୍ରବାରଦିନ ଜରୁରୀ ବୈଠକ ଡାକିଛନ୍ତି । ଏହି ବୈଠକରେ କିଛି ବଡ ଘୋଷଣା କରାଯାଇପାରେ ବୋଲି ଅନୁମାନ କରାଯାଉଛି । ଗୁରୁବାର ଦିନ ମୁମ୍ବାଇରେ ସବୁଠାରୁ ଅଧିକ ୮,୬୪୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଥାଣେ ରେ ୪୭୯୫ । ମାର୍ଚ୍ଚମାସରେ ମହାରାଷ୍ଟ୍ରରେ ୬.୬ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫେବୃଆରୀ ମାସ ତୁଳନାରେ ଏହା ୬୦୦ ପ୍ରତିଶତ ବୃଦ୍ଧି ପାଇଥିବା କୁହାଯାଇଛି ।

ଏନେଇ ମହାରାଷ୍ଟ୍ର ନଗର ନିଗମ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଯେଉଁ ସୋସାଇଟରେ ୫ ଅଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି ତାହାକୁ ସିଲ୍ କରାଯାଉଛି , ବିଡ୍ ସହରକୁ ୨୬ ମାର୍ଚ୍ଚରୁ ୪ ଏପ୍ରିଲ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଡାଉନ୍ କରାଯାଇଛି । ସେହିଭଳି ନାଦେଡ ସହରକୁ ୨୫ ମାର୍ଚ୍ଚରୁ ୪ ଏପ୍ରିଲ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରାଯାଇଛି । ନନ୍ଦୁରବାର ସହରକୁ ୩୧ ମାର୍ଚ୍ଚରୁ ୧୫ ଏପ୍ରିଲ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରାଯାଇଛି ।

ଏଭଳି ସ୍ଥିତିରେ ଆଜି ମୁଖ୍ୟମନ୍ତ୍ରୀ ଜରୁରୀକାଳୀନ ବୈଠକ ଡକାଯାଇଛି । ଏହି ବୈଠକରେ ରାଜ୍ୟରେ କରୋନା ସ୍ଥିତିକୁ ନିୟନ୍ତ୍ରଣ କରିବାକୁ କଡା ପଦକ୍ଷେପମାନ ଗ୍ରହଣ କରାଯିବ ବୋଲି ଅନୁମାନ କରାଯାଉଛି । ବିଶେଷ ଭାବେ କୁହାଯାଉଛି କି ପୁରା ରାଜ୍ୟକୁ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇପାରେ ।