ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ବିଭିନ୍ନ ଦଳର ହେଭିୱେଟ ନେତା । ଭୁବନେଶ୍ୱର ଲୋକସଭା ପାଇଁ ବିଜେପିର ଅପରାଜିତା ଷଡଙ୍ଗୀଙ୍କ ସହ ମହାଙ୍ଗାରୁ ପ୍ରତାପ ଜେନା ଦାଖଲ କଲେ ନାମାଙ୍କନ

ଭୁବନେଶ୍ୱର ମଧ୍ୟ ଆସନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା

261

କନକ ବ୍ୟୁରୋ : ଭୁବନେଶ୍ୱର ମଧ୍ୟ ଆସନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା । ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ଉପ-ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବିଧାୟକ ବିଜୟ ମହାନ୍ତିଙ୍କ ଟିକେଟ କାଟି ବିଜେଡି ଅନନ୍ତଙ୍କୁ ଏଥର ଭୁବନେଶ୍ୱର ମଧ୍ୟରୁ ଟିକେଟ ଦେଇଛି । ୧୦ ବର୍ଷ ମେୟର କାର୍ଯ୍ୟକାଳ ସମୟରେ ସାଉଁଟିଥିବା ଜନସଂପର୍କ ଓ ଲୋକପ୍ରିୟତାକୁ ଆଧାର କରି ନିର୍ବାଚନ ଜିତିବା ପାଇଁ ଅଂଟା ଭିଡିଛନ୍ତି ଅନନ୍ତ । ଏଠାରେ ବିଜେପିର ଜଗନ୍ନାଥ ପ୍ରଧାନ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସର ରାଜୀବ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି ।

ଆଜି ତୃତୀୟ ପର୍ଯ୍ୟାୟ ନାମାଙ୍କନ ପାଇଁ ଶେଷ ଦିନ ହେଉଥିବା ବେଳେ ବିଜେପିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ଖୋର୍ଦ୍ଧା ଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଆଇଏଏସ ଚାକିରି ଛାଡି ବିଜେପିରେ ଯୋଗଦେବା ପରେ ଦଳ ତାଙ୍କୁ ସମ୍ମାନ ଜନକ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ କରିଛି ।

ପ୍ରାର୍ଥିତ୍ୱ ଘୋଷଣା ହେବା ପୂର୍ବରୁ ବିଭିନ୍ନ ୱାର୍ଡ ଓ ଗାଁ ଗାଁ ବୁଲି ନିର୍ବାଚନ ପ୍ରଚାର ଆରମ୍ଭ କରିଦେଇଥିଲେ ଅପରାଜିତା । ମୋଦି ଲହର ଓ ନିଜ ନିର୍ମଳ ଭାବମୂର୍ତୀକୁ ପାଥେୟ କରି ନିର୍ବାଚନ ମୈଦାନ କାର ହେବାକୁ ଆଶା ରଖିଛନ୍ତି ଅପରାଜିତା । ଏପଟେ ଭୁବନେଶ୍ୱରରେ ତାଙ୍କୁ କଡା ଟକ୍କର ଦେଉଛନ୍ତି ବିଜେଡିର ଅରୁପ ପଟ୍ଟନାୟକ ।କଂଗ୍ରେସ ଏଠାରେ ପ୍ରାର୍ଥୀ ଦେଇନଥିବା ବେଳେ ବାମଦଳ ନେତା ଜନାର୍ଦ୍ଦନ ପତିଙ୍କୁ ସମର୍ଥନ କରୁଛି ।

ସେପଟେ ମହାଙ୍ଗା ନିର୍ବାଚନ ମଣ୍ଡଳି ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଛନ୍ତି ପ୍ରତାପ ଜେନା । ଦଳୀୟ କର୍ମୀଙ୍କ ସହ ବିରାଟ ପଟୁଆରରେ ଆସି କଟକ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ରିଟର୍ଣ୍ଣିଂ ଅଫିସରଙ୍କ ଉପସ୍ଥିତିରେ ସମସ୍ତ କାଗଜ ପତ୍ର ଯାଂଚ କରାଯିବା ସହ ନାମାଙ୍କନ ଭରିଛନ୍ତି ପ୍ରତାପ ଜେନା । ପ୍ରତାପ ଜେନା ୨୦୦୦ ମସିହାରୁ ଲଗାତର ୪ ଥର ବିଜୁ ଜନତା ଦଳ ଟିକଟରୁ ବିଜୟୀ ହୋଇ ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । କିଷନନଗରରୁ ୨ ଥର ନିର୍ବାଚିତ ହୋଇଥିବା ବେଳେ ମାହାଙ୍ଗାରୁ ୨ ଥର ବିଧାନସଭାକୁ ଯାଇଛନ୍ତି । ଏହା ମାହାଙ୍ଗାରେ ତାଙ୍କର ତୃତୀୟଥର ଲଢେଇ ହେଉଥିବା ବେଳେ ରାଜନୈତିକ କ୍ୟାରିୟରର ପଂଚମ ଲଢେଇ । ଏଥର ମାହାଙ୍ଗାରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିବ । ବିଜେପିର ସାରଦା ପ୍ରଧାନ ଓ କଂଗ୍ରେସର ଦେବେନ୍ଦ୍ର ସାହୁଙ୍କ ସହ ବିଜେଡିର ପ୍ରତାପ ଜେନାଙ୍କ ମଧ୍ୟରେ ଜୋରଦାର ଲଢେଇ ଦେଖିବାକୁ ମିଳିବ ।