ଆଜି ପବିତ୍ର ଶିବରାତ୍ରି । ଫାଲଗୁନ୍ କୃଷ୍ଣ ଚତୁର୍ଦଶୀରେ ସାରା ଦେଶରେ ଶୈବପୀଠ ଉତ୍ସବ ମୁଖର : ଭୋଳାନାଥଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ

95

କନକ ବ୍ୟୁରୋ : ଆଜି ପବିତ୍ର ଶିବରାତ୍ରି । ଫାଲ୍ଗୁନ କୃଷ୍ଣ ଚତୁର୍ଦ୍ଦଶୀ । ଏହି ତିଥିକୁ ସାରା ଭାରତରେ ମହାଶିବ ରାତ୍ରି ଭାବେ ପାଳନ କରାଯାଉଛି । ଆଜି ରାତି ଉଜାଗର ରହି ଶିବଙ୍କୁ ଉପାସନା କରାଯାଏ । ତେଣୁ ଏହାକୁ ଜାଗର ବୋଲି ମଧ୍ୟ କୁହାଯାଏ । ଈଶାନ ସଂହିତା ଅନୁସାରେ ଆଜି ଦିନରେ ଶିବଙ୍କ ଆବିର୍ଭାବ ଘଟିଥିଲା । ଏଣୁ ଏହା ଶିବଙ୍କର ଜନ୍ମଦିନ । ଶିବରାତ୍ରିର ବିଭିନ୍ନ ପ୍ରହରରେ ମହାଦେବଙ୍କୁ ଭିନ୍ନ ରୂପରେ ଏବଂ ଭିନ୍ନ ଭିନ୍ନ ଢଙ୍ଗରେ ପୂଜା କରିବାର ପରମ୍ପରା ରହିଛି । ରାତିର ପ୍ରଥମ ପ୍ରହରରେ ଶିବଙ୍କର ଇଶାନ ମୂର୍ତିକୁ ଦୁଗ୍ଧରେ ଓ ଦ୍ୱିତୀୟ ପ୍ରହରରେ ତାଙ୍କର ଅଘୋର ମୂର୍ତିକୁ ଦଧିରେ ସ୍ନାନ କରି ପୂଜା କରାଯାଏ ।

ସେହିପରି ରାତିର ତୃତୀୟ ପ୍ରହରରେ ଶିବଙ୍କର ବାମଦେବ ମୂର୍ତିକୁ ଘୃତରେ ଓ ଚତୁର୍ଥ ପ୍ରହରରେ ଶିବଙ୍କର ସଦ୍ୟଜାତ ମୂର୍ତିକୁ ମଧୁରେ ସ୍ନାନ କରାଇ ପୂଜା କରାଯାଏ । ଏହା ଛଡା ଶିବରାତ୍ରିର ଆଉ ଏକ ବିଶେଷତ୍ୱ ହେଉଛି ଏହି ଦିନ ପାହାନ୍ତ ପ୍ରହରରେ ହରି ଓ ହରଙ୍କର ଭେଟ ହୁଏ । ଓଡିଶା ତଥା ଦେଶର ବିଭିନ୍ନ ଶୈବପୀଠରେ ଶିବାରାତ୍ରି ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ସକାଳୁ ସକାଳୁ ଶ୍ରଦ୍ଧାଳୁ ମଧ୍ୟ ପୀଠଗୁଡିକରେ ପହଂଚିବା ଆରମ୍ଭ କରିଦେଇଛନ୍ତି ।