ଆଜି ମହାସପ୍ତମୀ ! ପୂଜା ମଣ୍ଡପରେ ଚାଲିଛି ମାଆ ଜଗତଜନନୀଙ୍କ ଆରାଧନା , ସଜେଇ ହୋଇଛି ଦ୍ୱୈତନଗରୀ

336

କନକ ବ୍ୟୁରୋ : ବିଲ୍ୱ ବରଣି ସରିଛି । ଠାକୁରାଣୀଙ୍କୁ ନିମନ୍ତ୍ରଣ ବି ହୋଇ ସାରିଛି । ଦୃଶ୍ୟ ତୋରଣ ଦେଖିବାକୁ ବୟାକୁଳ ଥିବା ପ୍ରତିକ୍ଷୀତ ମନ ତୃପ୍ତ ହୋଇଛି । ଆଜି ଧରାବତରଣ କରିବେ ମାଆ ଜଗତ୍ ଜନନୀ ଦୁର୍ଗତିନାଶିନୀ । ଆଜି ମଣ୍ଡପରେ ମହାସପ୍ତମୀ ପୂଜା ଅନୁଷ୍ଠିତ ହେଉଛି । ଏପଟେ ଜମିବ ଉତ୍ସବ ଓ ଉତ୍ସାହର ପଟୁଆର । ପୂଜା ମଣ୍ଡପକୁ ଛୁଟିବ ଶ୍ରଦ୍ଧାଳୁଙ୍କ ସୁଅ । ଆଖି ପାଉନଥିବା ସୁଉଚ୍ଚ ତୋରଣ ସାଙ୍ଗକୁ ସାଜସଜାରେ ଉଲ୍ଲସିତ ହେବ ମନ । ସେପଟେ ରାସ୍ତାଘାଟ ଆଲୁଅରେ ବିଛେଇ ହୋଇଛି ।

ଦ୍ୱୈତନଗରୀରେ ଅପୂର୍ବ ଏ ପରିବେଶ । କେବଳ ରାଜଧାନୀ ଭୁବନେଶ୍ୱରର ଏଥର ୧୭୧ଟି ସ୍ଥାନରେ ମାଆଙ୍କ ପୂଜା ଅନୁଷ୍ଠିତ ହେଉଛି । ତଥାପି କେତେକ ପ୍ରମୁଖ ସ୍ଥାନର ବିଶାଳ ତୋରଣ ଉପରେ ସମସ୍ତଙ୍କ ନଜର ରହିଛି । ସେପଟେ ତାରକାସୀ କାମ ପାଇଁ ପ୍ରସିଦ୍ଧ କଟକ ସହରରେ ବିଭିନ୍ନ ପୂଜା ମଣ୍ଡପର ସୁନା ଓ ରୁପାମେଢ ଉପରେ ମଧ୍ୟ ରହିଛି ଶ୍ରଦ୍ଧାଳୁଙ୍କ ଆଗ୍ରହ । ଏଠାରେ ପ୍ରାୟ ୧୬୫ଟି ମଣ୍ଡପରେ ମାଆଙ୍କ ଆରାଧନା କରାଯାଉଛି ।