ଆଜି ଆସିବ ମହାରାଷ୍ଟ୍ର ରାୟ । ସୁପ୍ରିମକୋର୍ଟରେ ସକାଳ ସାଢେ ୧୦ଟାରେ ହେବ ଶୁଣାଣି, ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ ପାଇଁ ଫଡନବୀସ ସରକାରଙ୍କୁ ଦେଇପାରନ୍ତି ନିର୍ଦ୍ଦେଶ

312

କନକ ବ୍ୟୁରୋ : ଆଜି ଆସିପାରେ ମହାରାଷ୍ଟ୍ର ସରକାରକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ । ସକାଳ ସାଢେ ୧୦ଟାରେ ମାମଲାର ଶୁଣାଣି ହେବାକୁ ସମୟ ଧାର୍ଯ୍ୟ କରିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ । କାଲି ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ନାଟକକୁ ନେଇ ସୁପ୍ରିମକୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ତେବେ ତୁରନ୍ତ ଆସ୍ଥାଭୋଟ ପାଇଁ ହୋଇଥିବା ଆବେଦନ ଉପରେ କୌଣସି ଟିପ୍ପଣୀ ଖଣ୍ଡପୀଠ କରିନାହାନ୍ତି । ମାମଲାରେ ସମସ୍ତ ପକ୍ଷକୁ ନୋଟିସ୍ ଜାରି କରିଛନ୍ତି ସୁପ୍ରିମକୋର୍ଟ । ଦେବେନ୍ଦ୍ର ଫଡନବିସ, ଅଜିତ୍ ପାୱାର ଏବଂ କେନ୍ଦ୍ର ସରକାରଙ୍କୁ ନୋଟିସ୍ ହୋଇଛି । ସୁପ୍ରିମକୋର୍ଟ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ରାଜ୍ୟପାଳଙ୍କ ଆଦେଶପତ୍ର ଏବଂ ବିଧାୟକଙ୍କ ସମର୍ଥନ ପତ୍ର ଆଜି ସକାଳ ସାଢେ ୧୦ଟା ସୁଦ୍ଧା ଦାଖଲ କରିବାକୁ କହିଛନ୍ତି ।

ରାଜ୍ୟପାଳଙ୍କ ଆଦେଶପତ୍ର ଓ ବିଧାୟକଙ୍କ ସମର୍ଥନ ପତ୍ର ପଢିବା ପରେ ଖଣ୍ଡପୀଠ ଆସ୍ଥାଭୋଟ ନେଇ କୌଣସି ନିଷ୍ପତି ଶୁଣାଇପାରନ୍ତି । ଜଷ୍ଟିସ ଏନବି ରମନ୍ନା, ଜଷ୍ଟିସ ଅଶୋକ ଭୂଷଣ ଓ ସଞ୍ଜୀବ ଖନ୍ନାଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିଛନ୍ତି । ବିଜେପି ପକ୍ଷରୁ ମୁକୁଲ ରେହତୋଗୀ ଏବଂ ଶିବସେନା, ଏନସିପି ଓ କଂଗ୍ରେସ ପକ୍ଷରୁ ପକ୍ଷ ରଖିଥିଲେ କପିଲ ସିବଲ ଏବଂ ଅଭିଷେକ ମନୁସଂଘଭି । ସେପଟେ ବିଜେପି କହିଛି ସର୍ବୋଚ୍ଚ ଅଦାଲତଙ୍କ ଆଦେଶ ଅନୁସାରେ ସମସ୍ତ ଦସ୍ତାବିଜ୍ ଦାଖଲ କରିବ ଦଳ । ତେବେ କୋର୍ଟ ତୁରନ୍ତ ବହୁମତ ପରୀକ୍ଷା ପାଇଁ ନିର୍ଦ୍ଦେଶ ନଦେବା ବିଜେପି ଆଶ୍ୱସ୍ତି ଆଣି ଦେଇଛି ।