ଆଜି ପବିତ୍ର ମହାଳୟା ଅମାବାସ୍ୟା । ପିତୃପକ୍ଷଙ୍କୁ ଶ୍ରାଦ୍ଧ ଦେବା ପାଇଁ ବିରଜାଙ୍କ ପାଖରେ ପ୍ରବଳ ଭିଡ, ସେପଟେ ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ୱରୀ

548

କନକ ବ୍ୟୁରୋ : ଆଜି ପବିତ୍ର ମହାଳୟା । ସାରା ରାଜ୍ୟର ଅନେକ ତୀର୍ଥସ୍ଥାନରେ ପିତୃପକ୍ଷଙ୍କୁ ଶ୍ରାଦ୍ଧ ଦେବା ଲାଗି  ପ୍ରବଳ ଭିଡ ଜମିଛି । ଏହାରି ମଧ୍ୟରେ ବିଭିନ୍ନ ଦେବୀ ପୀଠରେ ମା’ଙ୍କର ଷୋଡଶ ପୂଜା ଚାଲିଛି । ତେବେ ମହାଳୟା ଅବସରରେ ସଂବଲପୁରରେ ମା ସମଲେଶ୍ୱରୀ ମନ୍ଦିରରେ ମାଆଙ୍କ ସ୍ୱତନ୍ତ୍ର ବେଶ ହୋଇଛି । ଆଜି ମାଆଙ୍କ ଧବଳମୁଖୀ ବେଶ ହୋଇଛି । ବର୍ଷକରେ ମାଆ ଥରେ ଏହି ବେଶରେ ଦର୍ଶନ ଦେଇଥାନ୍ତି । ଏହି ବେଶଦର୍ଶନ କରିବାକୁ ଭକ୍ତଙ୍କ ପ୍ରବଳ ଭିଡ ବି ହୋଇଥାଏ । ମା’ଙ୍କର ଏହି ଦୁର୍ଲଭ ବେଶ ଦେଖିବା ଲାଗି ପ୍ରତିବର୍ଷ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥାଏ । ତେଣୁ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ଶାନ୍ତିଶୃଙ୍ଖଳା ରକ୍ଷା କରିବା ଲାଗି ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ସେପଟେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ଆଜି ସକାଳୁ ହିଁ ପ୍ରବଳ ଭିଡ ଜମିଛି । ନାଭିଗୟାରେ ଶ୍ରାଦ୍ଧ ଦେବା ଲାଗି ଜିଲ୍ଲା ତଥା ରାଜ୍ୟ ବାହାରୁ ମଧ୍ୟ ଅନେକ ତୀର୍ଥଯାତ୍ରୀ ମନ୍ଦିରରେ ପହଂଚି ସାରିଛନ୍ତିି । ନିଜ ପିତୃପକ୍ଷଙ୍କୁ ଶ୍ରାଦ୍ଧ ଦେବା ଲାଗି ନାଭିଗୟାରେ ପ୍ରବଳ ଭିଡ ଜମିଛି । ଏହାସହ ଆଜି ରାତ୍ରରେ ମା’ଙ୍କର ରଥ ପ୍ରତିଷ୍ଠା କାର୍ଯ୍ୟ ହେବାର ବିଧି ରହିଛି । ପ୍ରତିଷ୍ଠା ପରେ ଏକ ସୁସଜ୍ଜିତ ସ୍ୱତନ୍ତ୍ର ବିମାନରେ ମା’ଙ୍କର ଚଳନ୍ତି ପ୍ରତିମା ରଥାରୂଢ ହେବେ । ଏହାପରେ ନବଦିନବ୍ୟାପୀ ରଥଯାତ୍ରା ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି ।