କନକ ବ୍ୟୁରୋ : ଆଜି କନକ ନ୍ୟୁଜର ଓଡିଶା ନିର୍ମାଣ କନକ୍ଲେଭ ୨୦୨୩ । କନକ ନ୍ୟୁଜର ଏହି ବାର୍ଷିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମହାମହିମ ରାଜ୍ୟପାଳ ରଘୁବର ଦାସ । ସେହିପରି ଅତିଥି ଭାବେ ଶିଳ୍ପ, ଶକ୍ତି ଓ ଏମଏସଏମଇ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ଯୋଗ ଦେଉଛନ୍ତି । ଏହି ଅବସରରେ ଓଡ଼ିଶାର ପର୍ଯ୍ୟଟନ, କୃଷି, କ୍ରୀଡ଼ା, ରାଜନୀତି ଓ ସିନେମା ଆଦି ୫ଟି ଅଧିବେଶନ ଜରିଆରେ ଚର୍ଚ୍ଚା-ଆଲୋଚନା କରାଯିବ । ପ୍ରଥମ ଅଧିବେଶନରେ- ଓଡ଼ିଶା କିଭଳି ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ହେବ ସେ ନେଇ ଆଲୋଚନା କରାଯିବ । ଏହି ଅଧିବେଶନରେ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଯାଦବଙ୍କ ସହ ‘ହାରୋ’ ସଭାପତି ଜେକେ ମହାନ୍ତି ଓ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଯୋଗ ଦେବେ ।

Advertisment

ଦ୍ୱିତୀୟ ଅଧିବେଶନରେ ଚାଷୀଙ୍କ ସମସ୍ୟା ନେଇ ଆଲୋଚନା କରାଯିବ । ଏଥିରେ କୃଷି ନିର୍ଦ୍ଦେକ ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସହ ଚାଷୀ ନେତା ରମେଶ ମହାପାତ୍ର ଏବଂ ପ୍ରଫେସର ତପନ ପଣ୍ଡା, ଚାଷୀଙ୍କ ପାଇଁ ବଜାର ବ୍ୟବସ୍ଥା ନେଇ ମତ ରଖିବେ । ପରବର୍ତୀ ଅଧିବେଶନରେ ଖେଳ କିଭଳି ଓଡ଼ିଶାକୁ ନୂଆ ପରିଚୟ ଦେଇଛି, ସେ ସମ୍ପର୍କରେ ଆଲୋଚନା କରିବେ, ହକି ଇଣ୍ଡିଆର ଅଧ୍ୟକ୍ଷ ଦିଲ୍ଲୀପ ତର୍କୀ, ଅଲିମ୍ପିଆନ୍ ଅନୁରାଧା ବିଶ୍ୱାଳ ଓ ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସମ୍ବିତ ମହାପାତ୍ର । ରାଜନୀତିରେ ଭିନ୍ନମତର ସ୍ଥାନ ନାହିଁ କି? ଏହି ଶୀର୍ଷକ ଉପରେ ଆଲୋକପାତ କରିବେ, ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି, ବିଜେପି ବିଧାୟକ ସୂରଜ ସୂର୍ଯ୍ୟବଂଶୀ ଓ କଂଗ୍ରେସ ନେତା ବିଶ୍ୱରଞ୍ଜନ ମହାନ୍ତି । କାର୍ଯ୍ୟକ୍ରମ ଶେଷରେ ଓଡ଼ିଆ ସିନେମା ବାଟରେ କଂଟା କିଏ, ସେ ନେଇ ଆଲୋଚନା କରାଯିବ । ଫିଲ୍ମ ନିର୍ମାତା ଅନୁପମ ପଟ୍ଟନାୟକଙ୍କ ସହ ଅଭିନେତା ମନୋଜ ମିଶ୍ର ଓ ଅରିନ୍ଦମ ରାୟ ଏହି ପ୍ରସଙ୍ଗର ନିଜ ନିଜ ମତ ରଖିବେ । ଆଜି ସକାଳ ୧୦ଟାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ ।