ଆଜି ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ : କରୋନା କାଳରେ ବଢ଼ୁଛି ଆତ୍ମହତ୍ୟା;ଜାତୀୟ ହାରଠୁ ବି ଓଡିଶା ଆଗରେ; ଅଧିକ ଶିକାର ଯୁବବର୍ଗ

237

କନକ ବ୍ୟୁରୋ : କରୋନା କାଳରେ ବଢି ଚାଲିଛି ଆତ୍ମହତ୍ୟା ପ୍ରବଣତା। ଏବଂ ଏହାର ଅଧିକ ଶିକାର ହେଉଛନ୍ତି ଯୁବବର୍ଗ। ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର ୧୦ରେ ବିଶ୍ବ ଆତ୍ମହତ୍ୟା ନିରୋଧ ଦିବସ ପାଳନ ହେଉଥିବା ବେଳେ ଏଭଳି ତଥ୍ୟ ସାମନାକୁ ଆସିଛି। ଏଭଳି ସ୍ଥିତି ପାଇଁ ଚଳିତବର୍ଷ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହି ଦିନର ଶୀର୍ଷକ ରଖିଛି ‘ସମସ୍ତେ ମିଳିମିଶି ଆସନ୍ତୁ ଆତ୍ମହତ୍ୟାକୁ ରୋକିବା’। କିନ୍ତୁ ତଥ୍ୟ ଅନୁଯାୟୀ ପ୍ରତିବର୍ଷ ବଢିଚାଲିଛି ଆତ୍ମହତ୍ୟା ଓ ତଦ୍‌ଜନିତ ମୃତ୍ୟୁ ସଂଖ୍ୟା। ଜାତୀୟ ହାରଠାରୁ ଓଡିଶାର ଆତ୍ମହତ୍ୟାଜନିତ ମୃତ୍ୟୁ ହାର ବି ଅଧିକ। ୨୦୧୯ରେ ଭାରତରେ ୧ଲକ୍ଷ ୪୦ହଜାର ଲୋକ ଆତ୍ମହତ୍ୟା କରିଥିବା ବେଳେ ଓଡିଶାରେ ସେହି ସମୟରେ ୪୫ଶହ ଲୋକ ଆତ୍ମହତ୍ୟା କରିଛନ୍ତି। ଅର୍ଥାତ୍‌ ପ୍ରତିଦିନ ୧୨ରୁ ୧୩ ଜଣ ଆତ୍ମହତ୍ୟା କରୁଛନ୍ତି। ଭାରତରେ ପ୍ରତିଦିନ ୩୮୦ଜଣ ଆତ୍ମହତ୍ୟା କରୁଥିବାବେଳେ ପ୍ରତି ଘଣ୍ଟା ହାରାହାରି ଭାବେ ୧୬ଜଣ ଭାରତୀୟ ଆତ୍ମହତ୍ୟା କରୁଛନ୍ତି। ଜନସଂଖ୍ୟା ଦୃଷ୍ଟିରୁ ଦେଶରେ ଆତ୍ମହତ୍ୟା ହାର ୧୦. ୪ ପ୍ରତିଶତ ରହିଥିବା ବେଳେ ଓଡ଼ିଶାରେ ସେହି ହାର ରହିଛି ୧୦.୫ ପ୍ରତିଶତ। ଚଳିତବର୍ଷ କିନ୍ତୁ କରୋନା ଜନିତ ସ୍ଥିତି ରାଜ୍ୟ, ଦେଶ ଏମିତିକି ସାରାବିଶ୍ବରେ ଆତ୍ମହତ୍ୟା ହାର ବୃଦ୍ଧି କରିଛି। ଏହି ସମୟରେ ଡିପ୍ରେସନ୍‌, ମାନସିକ ରୋଗ ବି ବଢିଛି। ବିଶେଷକରି ୧୫ରୁ ୩୦ ବର୍ଷର ଯୁବକ/ଯୁବତୀଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ଅଧିକ ରହିଛି। ୨୦୧୯ରେ ଦେଶରେ ୧୦ ହଜାର ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିଲେ। ପ୍ରତି ବର୍ଷ ବିଶ୍ବରେ ୮ଲକ୍ଷ ଲୋକ ଆତ୍ମହତ୍ୟା କରୁଛନ୍ତି। ଅର୍ଥାତ୍‌ ପ୍ରତି ୪୦ ସେକେଣ୍ଡରେ ଜଣେ ଲୋକ ଆତ୍ମହତ୍ୟା କରୁଛନ୍ତି।

ଏସ୍‌ସିବି ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନକୁ ବର୍ଷକୁ ୧୭ରୁ ୧୮ହଜାର ରୋଗୀ ଆସୁଛନ୍ତି ଚିକିତ୍ସା ପାଇଁ। ସେଥିରୁ ପ୍ରତିବର୍ଷ ୫୦/୬୦ଜଣ ମାନସିକ ରୋଗୀ ଆତ୍ମହତ୍ୟା କରୁଥିବା ବେଳେ ୨ ଶହରୁ ୩ଶହ ରୋଗୀ ଆତ୍ମହତ୍ୟା ଉଦ୍ୟମ କରୁଥିବା ଏକ ତଥ୍ୟରୁ ଜଣାପଡିଛି। ଚିକିତ୍ସା ପାଇଁ ଆସୁଥିବା ପ୍ରତି ଶହେ ରୋଗୀରେ ୫ଜଣଙ୍କଠାରେ ଆତ୍ମହତ୍ୟା ପ୍ରବଣତା ଦେଖିବାକୁ ମିଳୁଥିବା ବିଶେଷଜ୍ଞ ମତ ଦେଇଛନ୍ତି। କିନ୍ତୁ କରୋନା ମହାମାରୀ ଜନିତ ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ଏବଂ ଅନେକ ଲୋକ ଜୀବିକା ତଥା ଉପାର୍ଜନର ପନ୍ଥା ହରାଇଥିବାରୁ ଏବେ ଆତ୍ମହତ୍ୟା, ମାନସିକ ବିଶାଦ ବଢିବା ସହିତ ସୁସ୍ଥ ହୋଇ ଆସୁଥିବା ପୁରୁଣା ମାନସିକ ରୋଗୀଙ୍କ ଅବସ୍ଥା ବି ଜଟିଳ ହେଉଛି।

ବ୍ୟକ୍ତିର ଖାଇବା, ଶୋଇବା ଓ ବ୍ୟବହାରରେ ପରିବର୍ତ୍ତନ, ଅଧିକ ସମୟ ମାନସିକ ବିଶାଦ, ଅଧିକ ଦିନ ଧରି କୌଣସି ଭୟାବହ ରୋଗର ଶିକାର, ଅତ୍ୟଧିକ ନିଶାଦ୍ରବ୍ୟ ସେବନ, ହଠାତ୍‌ ଅଧିକ ରାଗି ଯିବା ଅଥବା ଅଧିକ ଭାବପ୍ରବଣ ହେବା ଭଳି ଲକ୍ଷଣ ମାନସିକ ରୋଗର ସୂଚନା ଦିଏ। ଏଭଳି ସବୁ ଲକ୍ଷଣ ସେହି ଲୋକର ମନଭିତରେ ଆତ୍ମହତ୍ୟା ପ୍ରବଣତା ଲୁଚି ରହି ଥାଇପାରେ ବୋଲି ସନ୍ଦେହ କରାଯାଏ। ସେଭଳି ଲୋକଙ୍କୁ ସେ ପରିସ୍ଥିତି‌ରୁ ବାହାର କରିବାରେ ‌ତାଙ୍କ ପରିବାର ଲୋକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ୧୫ରୁ ୩୦ବର୍ଷ ଓ ୬୦ରୁ ୭୦ ବର୍ଷର ଲୋକଙ୍କ ପାଖରେ ଆତ୍ମହତ୍ୟା ପ୍ରବଣତା ଅଧିକ ରହିଥାଏ।

ଆତ୍ମହତ୍ୟା ପ୍ରବଣତା ସଂପର୍କରେ ମତ ରଖି ଏସ୍‌ସିବି ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ସହକାରୀ ପ୍ରଫେସର ଡାକ୍ତର ସତ୍ୟକାମ ମହାପାତ୍ର କହିଛନ୍ତି ଯେ, ‘ ମାନସିକ ଅବସାଦରେ ରହୁଥିବା ବ୍ୟକ୍ତିଙ୍କ ପ୍ରତି ସହଯୋଗ ରହିବା ସହିତ ତାଙ୍କ ମନର ଭାବନାକୁ ଜାଣିବା ପାଇଁ ଚେଷ୍ଟା କଲେ ହୁଏତ ସେହି ବ୍ୟକ୍ତି ଆତ୍ମହତ୍ୟା ପ୍ରବଣତା ଭଳି ଏକ ସୁପ୍ତ ରୋଗରୁ ମୁକୁଳି ପାରିବ। ଏଥିରେ ଅବିଭାବକ ତଥା ପରିବାରର ମୁଖ୍ୟଙ୍କ ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ।’