ପଖାଳ କରୁଛି ପାଗଳ : ଚାଳିଆ ହୋଟେଲରୁ ନେଇ ପଞ୍ଚ ତାରକା ହୋଟେଲ ପର୍ଯ୍ୟନ୍ତ ସବୁଠି ପଖାଳର ଚାହିଦା

268

ପଖାଳ ଓଡ଼ିଆ ଲୋକଙ୍କ ପ୍ରିୟ ଖାଦ୍ୟ । ଓଡ଼ିଆ ଲୋକମାନେ ପଖାଳ ଖାଇବା ପାଇଁ ଅଧିକ ପସନ୍ଦ କରନ୍ତି । ଆଉ ପଖାଳ ଓଡ଼ିଆଙ୍କ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରେ ପଖାଳ । ଓଡିଆ ଜାତିର ଏକ ଅନନ୍ୟ ବିଶେଷତ୍ୱ ହେଉଛି ପଖାଳ । ବିଶ୍ୱର କୋଣ ଅନୁକୋଣରେ ବାସ କରୁଥିବା ପ୍ରତ୍ୟେକ ଓଡିଆ ପାଇଁ ମାର୍ଚ୍ଚ-୨୦ ବହୁତ ମହତ୍ୱ ରଖେ କାରଣ ଏହା ହେଉଛି ‘ବିଶ୍ୱ ପଖାଳ ଦିବସ’ । ତେବେ ପଖାଳ ଓଡ଼ିଆଙ୍କ ପାଇଁ ଏକ ଖାଦ୍ୟ ନୁହେଁ ପଖାଳର ମହତ୍ୱକୁ ପରପୀଢ଼ି ପାଖରେ ପହଞ୍ଚାଇବା ପାଇଁ ପାଳିତ ହେଉଛି ପଖାଳ ଦିବସ ।

ଛୁଙ୍କ ପଖାଳକୁ ଛେଚା ଚିଙ୍ଗୁଡ଼ି। ଦହି ପଖାଳକୁ ପତ୍ରପୋଡ଼ା ଚୂନା ମାଛ। ବାସ୍ ଏତିକି ହେଇଗଲେ ଖରାବେଳଟା ଜମିଯାଉଛି। ଖରା ଯେତେ ଟାଣ ହେଉଛି ପଖାଳ କଂସାକୁ ମନ ସେତେ ଲୋଡ଼ୁଛି। ଘରେ ହେଉ କି ହୋଟେଲରେ ସବୁଠି ଏବେ ଲୋଡ଼ା ପଡ଼ିଲାଣି ପଖାଳ। ଦିନେ ଗରିବ ଘରେ ବଳକା ଭାତ ପଖାଳର ରୂପ ନେଉଥିବା ବେଳେ ଆଜି ତାହା ପଞ୍ଚ ତାରକା ହୋଟେଲର ସ୍ବତନ୍ତ୍ର ମେନୁରେ ସ୍ଥାନ ପାଇଛି। ଚାଳିଆ ହୋଟେଲରୁ ନେଇ ପଞ୍ଚ ତାରକା ହୋଟେଲରେ ଏବେ ପଖାଳ ହିଁ ପାଲଟିଛି ମୁଖ୍ୟ ମେନୁ। ସଜ ଘୋଳ ଦହି ସାଙ୍ଗକୁ ଛେଚା ଆମ୍ବ କଷିଆ ଅଦା ପକେଇ କେଉଁଠି ପଖାଳ ପ୍ରସ୍ତୁତ ହେଉଛି ତ ପୁଣି କେଉଁଠି କଷି ଆମ୍ବଡେମ୍ଫର ଲସା ସାଙ୍ଗକୁ ଅଦା, ପୁଦିନା ଓ ଧନିଆ ଚଟଣି ଦେଇ ପଖାଳ ପ୍ରସ୍ତୁତ ହେଉଛି।

ଗତ କିଛି ବର୍ଷ ତଳେ ସାମାଜିକ ଗଣମାଧ୍ୟମରେ ପଖାଳ ବାବଦରେ ଏତେ ପ୍ରଚାର ହେଲା ଯେ, ଶେଷରେ ମାର୍ଚ ୨୦କୁ ପଖାଳ ଦିବସ ଭାବେ ପାଳିବାକୁ ବାର୍ତାର ସୁଅ ଛୁଟିଲା। ସେବେଠୁ ଅନ୍ତର୍ଜାତୀୟ ଦିବସ ତାଲିକାରେ ଯୋଡ଼ି ହୋଇଗଲା ପଖାଳ ଦିବସ। ଆମେରିକାଠୁ ଆର୍ଜେଣ୍ଟିନା। ଜର୍ମାନୀରୁ ଜାପାନ। ବିଦେଶରେ ବସବାସ କରୁଥିବା ଓଡ଼ିଆ ପରିବାର ପାଳିଲେ ବିଶ୍ବ ପଖାଳ ଦିବସ। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଆସାମ, ଛତିଶଗଡ଼ର ଲୋକେ ପଖାଳ ପ୍ରିୟ ହୋଇଥିବା ବେଳେ ନେପାଳ, ବାଙ୍ଗାଲୋର ସମେତ ମିଆଁମାରର କିଛି ଅ˚ଶରେ ପଖାଳର ଲୋକପ୍ରିୟତା ଦେଖିବାକୁ ମିଳିଲାଣି।