ବଢୁଛି ଅଷ୍ଟିଓପୋରୋସିସ୍ ସମସ୍ୟା । ଆଧୁନିକ ଜୀବନ ଶୈଳୀ ହେଉଛି କାଳ । ପୁରୁଷଙ୍କ ଅପେକ୍ଷା ଅଧିକ ମହିଳା ଆକ୍ରାନ୍ତ ।

132

କନକ ବ୍ୟୁରୋ: ଆଜିକାଲିର ଆଧୁନିକ ଜୀବନ ଶୈଳୀ ଯୋଗୁଁ ହାଡ ଜିନତ ସମସ୍ୟା ଅଧିକାଂଶଙ୍କ ଠାରେ ଦେଖିବାକୁ ମିଳୁଛି । ବୟସ ବଢିବା ସହ ଶରୀରରେ ହାଡ ଦୁର୍ବଳ ହେବାକୁ ଲାଗିଥାଏ । ଯାହାକୁ ଚିକିତ୍ସା ବିଜ୍ଞାନ ଭାଷାରେ କୁହାଯାଉଛି ଅଷ୍ଟିଓପୋରୋସିସ୍ ।ଅଧିକାଂଶଙ୍କ ଠାରେ ଧୀରେ ଧୀରେ ଅଷ୍ଟିଓପୋରୋସିସ୍ ସମସ୍ୟା ଦେଖାଯାଏ । ପ୍ରତି ୩ଜଣଙ୍କ ମଧ୍ୟରେ ଜଣେ ମହିଳାଙ୍କ ଠାରେ ଏହି ସମସ୍ୟା ଦେଖିବାକୁ ମିଳୁଛି । ସେହିପରି ପ୍ରତି ୫ ଜଣରେ ଜଣେ ପୁରୁଷ ଏହି ସମସ୍ୟାର ସମ୍ଭୁଖୀନ ହେଉଥିବା ଅନ୍ତର୍ଜାତୀୟ ଅଷ୍ଟିଓପୋରୋସିସ୍ ଫାଉଣ୍ଡେସନ୍ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ଅଷ୍ଟିଓପୋରୋସିସ୍ ଓ ମେଟାବଲିକ୍ ହାଡ ରୋଗର ନିରାକରଣ, ଚିହ୍ନଟ ଏବଂ ଚିକିତ୍ସା ବିଷୟରେ ବିଶ୍ୱସ୍ତରୀୟ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଅକ୍ଟୋବର ୨୦ ତାରିଖକୁ ବିଶ୍ୱ ଅଷ୍ଟିଓପୋରୋସିସ୍ ଦିବସ ଭାବେ ପାଳନ କରାଯାଉଛି । ୧୯୯୬ ଅକ୍ଟୋବର ୨୦ ତାରିଖରେ ବ୍ରିଟେନର ନ୍ୟାସନାଲ ଅଷ୍ଟିଓପୋରୋସିସ୍ ସୋସାଇଟି ପକ୍ଷରୁ ଏହି ଦିବସ ପାଳନ କରାଯାଇଥିଲା । ଏହି ଅଭିଯାନକୁ ୟୁରୋପୀୟ କମିଶନ ପକ୍ଷରୁ ସମର୍ଥନ ମଧ୍ୟ କରାଯାଇଥିଲା । ପରେ ୧୯୯୭ଠାରୁ ଅନ୍ତର୍ଜାତୀୟ ଅଷ୍ଟିଓପୋରୋସିସ୍ ଫାଉଣ୍ଡେସନ୍ ପକ୍ଷରୁ ପ୍ରତିବର୍ଷ ବିଶ୍ୱସ୍ତରୀୟ ସଚେତନତା ସୃଷ୍ଟି ପାଇଁ ଏହି ଦିବସକୁ ପାଳନ କରାଯାଉଛି ।

ନିୟମିତ ବ୍ୟାୟାମ , ପୋଷକତତ୍ତ୍ୱଯୁକ୍ତ ଖାଦ୍ୟ, ସକାରାତ୍ମକ ଜୀବନଶୈଳୀ, ପୂର୍ବରୁ ହାଡ ସମସ୍ୟା ଥିଲେ ସତର୍କତା ଅବଲମ୍ବନ, ଓ ନିୟମିତ ପରୀକ୍ଷା ଆଦି ଅପରିହାର୍ଯ୍ୟ । ଖାଦ୍ୟରେ କାଲସିଅମ୍, ଭିଟାମିନ ଡି, ଓ ପ୍ରୋଟିନ ଯୁକ୍ତ ଖାଦ୍ୟକୁ ସାମିଲ କରାଯିବା ଜୁରୁରୀ ।ଏହାସହ ନିୟମିତ ଅନ୍ତତଃ ୨ ଘଣ୍ଟା ଖରାରେ ବୁଲିବା ନିହାତି ଆବଶ୍ୟକ ।