ଆଜିଠୁ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ । ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯୋଗଦେବେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଭାଷାବିତ୍ ।

109

କନକ ବ୍ୟୁରୋ: ଭାଷା ହିଁ ଭବିଷ୍ୟତ, ଏହି ପ୍ରେରଣା ନେଇ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି, ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମଳନୀ । ଭୁବନେଶ୍ୱର ଜନତା ମୈଦାନରେ ହେବାକୁ ଥିବା ଏହି ଭାଷା ସମ୍ମିଳନୀ, ୩ ଦିନ ଧରି ଚାଲିବ । ମାଟିର ବନ୍ଦନା ବନ୍ଦେ ଉତ୍କଳ ଜନନୀ ଗାନ ସହ ଦିନ ୧୧ଟାରେ ଭାଷା ସମ୍ମିଳନୀର ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାରା ବିଶ୍ୱରେ ଓଡ଼ିଆ ଭାଷାର ପ୍ରଚାର-ପ୍ରସାର, ସଂରକ୍ଷଣ ଏବଂ ଓଡ଼ିଆ ଭାଷା ପ୍ରୀତି ଜାଗ୍ରତ କରିବା ଉଦ୍ଦେଶ୍ୟରେ ଏଭଳି ଏକ ଆୟୋଜନ କରୁଛନ୍ତି ରାଜ୍ୟ ସରକାର । ଏଥିରେ ଅନ୍ତର୍ଜାତୀୟସ୍ତରର ଭାଷାବିତ୍, ଲେଖକ, ସାହିତ୍ୟିକ, ବୁଦ୍ଧିଜୀବୀ, ଭାଷା ପ୍ରେମୀ ଯୋଗ ଦେବେ ।

ଭାଷାର ଉନ୍ନତି ଓ ପ୍ରଚାର-ପ୍ରସାର ପାଇଁ ୧୬ଟି ଅଧିବେଶନରେ ଆଲୋଚନାଚକ୍ର ହେବ । ଦେଶ ବିଦେଶରୁ ୧୦୦ରୁ ଅଧିକ ଭାଷାବିତ୍ ସମ୍ମିଳନୀରେ ସାମିଲ୍ ହେବେ । ଏହି ଅବସରରେ ଓଡିଆ ଭାଷା ଓ ଭାଷା ବିଜ୍ଞାନରେ ଅନନ୍ୟ ଅବଦାନ ପାଇଁ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାରରେ ସମ୍ବର୍ଦ୍ଧିତ କରାଯିବ । ଏଥିସହ ଜ୍ଞାନପୀଠ ପୁରସ୍କାର ବିଜେତା ଓ ପଦ୍ମପୁରସ୍କାର ବିଜେତା, ସାହିତ୍ୟ ଆକାଦେମି ପୁରସ୍କାରପ୍ରାପ୍ତ ସାହିତ୍ୟିକ, କବୀର ସମ୍ମାନ ପୁରସ୍କାର ପ୍ରାପ୍ତ, ରାଜ୍ୟ ଏକାଡେମୀର ସର୍ବୋଚ୍ଚ ପୁରସ୍କାର ବିଜେତାମାନଙ୍କୁ ସମ୍ମାନିତ କରାଯିବ ।