କନକ ବ୍ୟୁରୋ : ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ହୁ, ୧୯୪୮ ମସିହା ଆଜିର ଦିନରେ ଅର୍ଥାତ ଏପ୍ରିଲ ୭ ତାରିଖରେ ପ୍ରତିଷ୍ଠା ହୋଥିଲା । ତେଣୁ ହୁର ପ୍ରତିଷ୍ଠା ଦିବସକୁ ପ୍ରତିବର୍ଷ ଏକ ସ୍ୱତନ୍ତ୍ର ଲକ୍ଷ୍ୟ ରଖି ବିଶ୍ୱ ସ୍ୱାସ୍ଥ ଦିବସ ଭାବେ ପାଳନ କରାଯାଉଛି । ଏବର୍ଷର ଥିମ ରହିଛି ଆୱାର ପ୍ଲାନେଟ ଆୱାର ହେଲଥ । ପ୍ରାୟ ଅଢେଇ ବର୍ଷ ଧରି କରୋନା ମାହାମାରୀର ପ୍ରକୋପ ପରେ ସ୍ୱାସ୍ଥ୍ୟ ବିଷୟଟି ଅଧିକ ଗୁରୁତ୍ୱ ପାଇଛି । ବ୍ୟକ୍ତିଗତ ସ୍ତରରେ ଲୋକେ ଯେତିକି ସଚେତନ ହୋଇଛନ୍ତି, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ସେତିକି ଚାପ ମଧ୍ୟ ବଢିଛି । ସାଧାରଣ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ସରକାରଙ୍କ ପ୍ରାଥମିକତା ପାଲଟିଛି । କରୋନା ଆକ୍ରାନ୍ତଙ୍କ ମାଗଣା ଚିକିତ୍ସାଠାରୁ ଆରମ୍ଭ କରି ସମୁହ ଟିକାକରଣ ଯାଏଁ ଅଭିଯାନ ଚଳାଇଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ସ୍ୱାସ୍ଥ୍ୟ ଭିତିଭୂମିକୁ ସଜାଡିବା ପାଇଁ ପ୍ରତିବର୍ଷ ସ୍ୱାସ୍ଥ୍ୟ ବଜେଟରେ ଆଖିଦୃଷିଆ ବ୍ୟୟବରାଦ ମଧ୍ୟ କରାଯାଉଛି ।
ତେବେ ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେମାନଙ୍କ ପରିଶ୍ରମ ଯୋଗୁଁ ଲୋକଙ୍କୁ ସ୍ୱାସ୍ଥ୍ୟ ସୁରକ୍ଷା ଯୋଗାଇ ଦେବା ସମ୍ଭବ ହୋଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ସ୍ୱାସ୍ଥ୍ୟ ଭିତିଭୂମିକୁ ସଜାଡିବା ସହ ସୁବିଧାରେ ଲୋକେ ଯେମିତି ସ୍ୱାସ୍ଥ୍ୟସେବା ପାଇ ପାରିବେ ସେଥିପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଉଥିବା କହିଛନ୍ତି ମୋଦୀ । ଏହି ଦିଗରେ ଆୟୁଷମାନ ଭାରତ ଯୋଜନା ଏବଂ ଜନଔଷଧୀ କେନ୍ଦ୍ର ଗୋଟିଏ ଗୋଟିଏ ବଡ ପଦକ୍ଷେପ । ଲୋକଙ୍କୁ ଉତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଆୟୁଷ ନେଟୱର୍କର ସୁଦୃଢିକରଣ ଉପରେ ଗୁରୁତ୍ୱ ଦିଆଯାଉଥିବା ମୋଦୀ କହିଛନ୍ତି । କରୋନା ମହାମାରୀର ମୁକାବିଲା ପାଇଁ ଆମେ ଆୟୁରବେଦ ଓ ନେଚୁରୋପାଥୀର ଗୁରୁତ୍ୱକୁ ଉପଲବ୍ଧି କରିଛେ । ତେବେ ବାୟୁ ପ୍ରଦୂଷଣ, ଦୂଷିତ ପାଣି, ପରିମଳର ଅଭାବ, କଠିନ ବର୍ଯ୍ୟବସ୍ତୁ ପରିଚାଳନା, କ୍ଷତିକାରକ ରାସାୟନିକ ପଦାର୍ଥ ଓ ଜଳବାୟୁ ପରିବର୍ତନ ହିଁ ମୁଖ୍ୟତଃ ସ୍ୱାସ୍ଥ୍ୟ ସମସ୍ୟା ବଢାଉଛି ।