ଆଜି ବିଶ୍ୱ କର୍କଟ ଦିବସ । ରାଜ୍ୟର ୧୧ଟି ଜିଲ୍ଲାରେ କର୍କଟ ରୋଗୀଙ୍କୁ ମିଳିବ ରେଡିଓ ଥେରାପି ଚିକିତ୍ସା ।

229

କନକ ବ୍ୟୁରୋ : ରାଜ୍ୟର ୧୧ଟି ଜିଲ୍ଲାରେ କର୍କଟ ରୋଗୀଙ୍କୁ ମିଳିବ ରେଡିଓ ଥେରାପି ଚିକିତ୍ସା । ଆସନ୍ତା ୨୦୨୬ମସିହା ସୁଦ୍ଧା ଏହି ଚିକିତ୍ସା ସୁବିଧା ଜିଲ୍ଲାସ୍ତରରେ କର୍କଟ ରୋଗୀମାନେ ପାଇପାରିବେ । ରେଡିଓ ଥେରାପି ଏକ ବ୍ୟୟବହୁଳ ଚିକିତ୍ସା ହୋଇଥିବା ବେଳେ ଜିଲ୍ଲାସ୍ତରରେ ରୋଗୀମାନେ ଏଭଳି ଚିକିତ୍ସାର ସୁଯୋଗ ନେଇପାରିବେ । ଯାହାଫଳରେ ରୋଗୀମାନଙ୍କୁ ଆଉ ଆଚାର୍ଯ୍ୟ ହରିହର ଭଳି କର୍କଟ କେନ୍ଦ୍ର ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ ।

ପ୍ରଥମ ପର୍ଯ୍ୟାୟରେ ଭିମସାର, ଏମ୍‌କେସିଜି, କୋରାପୁଟସ୍ଥିତ ଏସ୍‌ଏଲଏନ୍‌ ମେଡିକାଲ କଲେଜ, କ୍ୟାପିଟାଲ ହସ୍ପିଟାଲ, କେନ୍ଦୁଝର ଓ ବଡ଼ଗଡ଼ ଜିଲ୍ଲାରେ ଏହି ସୁବିଧା ମିଳିବ । ପରବର୍ତୀ ସମୟରେ ବାଲେଶ୍ବର, ବଲାଙ୍ଗୀର, ଅନୁଗୁଳ, ମୟୂରଭଞ୍ଜ ଓ ଭବାନୀପାଟଣାରେ ରେଡିଓ ଥେରାପି ଉପଲବ୍ଧ ହେବ । ଏଥିପାଇଁ ଏସବୁ ଜିଲ୍ଲାରେ ୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ କରାଯିବ । ରାଜ୍ୟ କର୍କଟ କେୟାର ପ୍ଲାନ୍ ଅଧୀନରେ ଏହି ସୁବିଧା ଦିଆଯିବ । ପ୍ରତ୍ୟେକ ସ୍ଥାନରେ ମେସିନ୍ ସହିତ ଏହାର ଇନଷ୍ଟେଲେସନ୍ ପାଇଁ ୧୫ କୋଟି ଟଙ୍କା ଖର୍ଚ କରାଯିବ । ଏଥିପାଇଁ ସ୍ବତନ୍ତ୍ରଭାବେ ଏକ ବଙ୍କର ନିର୍ମାଣ କରାଯିବ । ଏଥିପାଇଁ ହେବାକୁ ଥିବା ଧାର୍ଯ୍ୟ ବ୍ୟୟ ଅଟକଳ କରାଯାଇଛି । ଅର୍ଥ ମଞ୍ଜୁର ହେବା ପରେ କାମ ଆରମ୍ଭ ହେବ । ଏହାସହ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲକୁ ସଂପ୍ରସାରଣ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ଆଜି ହେଉଛି ବିଶ୍ୱ କର୍କଟ ଦିବସ । ଫେବ୍ରୁଆରି ୪ ତାରିଖରେ ବିଶ୍ୱସ୍ତରରେ କର୍କଟ ରୋଗର ସତର୍କତା ପାଇଁ ଏହି ଦିବସ ପାଳନ କରାଯାଉଛି । ଓଡ଼ିଶାରେ କର୍କଟ ରୋଗ ଧୀରେ ଧୀରେ ଉଦ୍‌ବେଗଜନକ ସ୍ଥିତି ଆଡ଼କୁ ଗତି କରୁଛି । ପ୍ରତିବର୍ଷ ପ୍ରାୟ ୩୫ରୁ ୫୦ ହଜାର ନୂତନ କର୍କଟ ରୋଗୀ ଚିହ୍ନଟ ହେଉଛନ୍ତି । ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ୩୫/୩୬ ହଜାର ଓ ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ଘରୋଇ ହସ୍ପିଟାଲର ରୋଗୀଙ୍କୁ ମିଶାଇ ଏହି ସଂଖ୍ୟା ପ୍ରାୟ ୫୦ ହଜାରକୁ ବୃଦ୍ଧି ପାଉଛି । ପ୍ରତିବର୍ଷ ଯେତିକି ସଂଖ୍ୟକ ରୋଗୀ ଚିହ୍ନଟ ହେଉଛନ୍ତି, ତହିଁରୁ ଏକ ତୃତୀୟାଂଶ ରୋଗୀଙ୍କ କର୍କଟରେ ମୃତ୍ୟୁ ହୋଇଯାଉଛି । ବଳକା ଦୁଇ ତୃତୀୟାଂଶ ରୋଗୀଙ୍କ ଚିକିତ୍ସା ଚାଲୁରହିଛି । ଏଥିରୁ ମଧ୍ୟ ଅନେକ ରୋଗୀ ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇ ସାଧାରଣ ଜୀବନ ବଞ୍ଚୁଛନ୍ତି । ରାଜ୍ୟରେ ଏବେ ପ୍ରାୟ ଦେଢ଼ଲକ୍ଷ କର୍କଟ ସର୍ଭାଇଭର୍‌ (ଚିହ୍ନଟ ଓ ସୁସ୍ଥ) ବ୍ୟକ୍ତି ରହିଛନ୍ତି ବୋଲି ଅନୁମାନ କରାଯାଉଛି ।

ରାଜ୍ୟରେ ଏବେ କର୍କଟ ରୋଗର ଶୀଘ୍ର ଚିହ୍ନଟ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ଆଣ୍ଟିବଡ଼ି ପରୀକ୍ଷା, ଏସ୍‌ସିବିରେ ମଲେକ୍ୟୁଲାର ବାଇଓଲୋଜି ପରୀକ୍ଷାଗାର ଜରିଆରେ ରକ୍ତ ସଂଗ୍ରହ କରାଯାଇ ସ୍କ୍ରିନିଂ କରାଯାଉଛି । ଯାହାଫଳରେ ରୋଗୀଙ୍କ ଶରୀରରେ କର୍କଟ ରୋଗ ଆରମ୍ଭ ହୋଇଛି କି ନାହିଁ, ତାହା ସ୍ପଷ୍ଟ ହୋଇପାରୁଛି । ଫଳରେ ମୃତକଙ୍କ ସଂଖ୍ୟା ପୂର୍ବ ତୁଳନାରେ ଯଥେଷ୍ଟ ହ୍ରାସ ପାଇଛି । ରାଜ୍ୟରେ ଯେତିକି ସଂଖ୍ୟକ କର୍କଟ ରୋଗୀ ଚିହ୍ନଟ ହେଉଛନ୍ତି ତାହିଁରେ ମୁଖଗହ୍ବର କର୍କଟ ରୋଗୀଙ୍କ ସଂଖ୍ୟା ଅଧିକ । ତମାଖୁ ସେବନ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ତମାଖୁ ବର୍ଜନ ନେଇ ବ୍ୟାପକ ସଚେତନତା ସତ୍ତ୍ବେ ଏଥିରେ ନିୟନ୍ତ୍ରଣ ଆସି ପାରୁ ନାହିଁ । ବିଦ୍ୟାଳୟଠାରୁ ୧୦୦ମିଟର ଦୂରରେ କୌଣସି ପ୍ରକାର ତମାଖୁ ସେବନକୁ ବାରଣ କରାଯାଇଛି । ମାତ୍ର ତାହା କଡ଼ାକଡ଼ି ଭାବେ ପାଳନ ହୋଇପାରୁନାହିଁ । ଏହାସହ ରାଜ୍ୟ ସରକାର ରାଜ୍ୟରେ ଗୁଟ୍‌ଖାକୁ ନିଷିଦ୍ଧ ଘୋଷଣା କରିଥିଲେ ହେଁ ତାହା ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇପାରି ନାହିଁ । ସେହିପରି ମହିଳାଙ୍କ କ୍ଷେତ୍ରରେ ସ୍ତନ ଓ ଜରାୟୁ କର୍କଟ ମଧ୍ୟ ଚିନ୍ତାଜନକ ସ୍ଥିତି‌‌ରେ ରହିଛି । ସଚେତନତା ଅଭାବରୁ ଏହି ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି ।