ଆଜି ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆ : ୨-୦ରେ ସିରିଜ ଜିତିସାରିଛି କଙ୍ଗାରୁ ଦଳ; ସମ୍ମାନ ରକ୍ଷା କରିବାକୁ ଖେଳିବ ଭାରତ

ଶୃଙ୍ଖଳାର ଶେଷ ଦିନିକିଆରେ ୨୩ ରନ୍ କଲେ ସଚିନଙ୍କ ରେକର୍ଡ ଭାଙ୍ଗିବେ ବିରାଟ କୋହଲି

117

କନକ ବ୍ୟୁରୋ : ସମ୍ମାନ ରକ୍ଷା ପାଇଁ ଆଜି ତୃତୀୟ ଦିନିକିଆରେ ଲଢିବ ଭାରତ । ପ୍ରଥମ ଦୁଇଟିଯାକ ଦିନିକିଆ ଜିତି ସିରିଜ ହାତେଇ ସାରିଛି ଘରୋଇ ଅଷ୍ଟ୍ରେଲିଆ । ଆଜି ମାନୁକା ଓଭାଲ ଗ୍ରାଉଣ୍ଡରେ ଦିନିକିଆ ସିରିଜର ଶେଷ ମ୍ୟାଚ୍ ଖେଳାଯିବ । ଶୃଙ୍ଖଳାର ଫଇସଲା ହୋଇସାରିଥିଲେ ମଧ୍ୟ ଉଭୟ ଦଳ ମ୍ୟାଚ୍ ଜିତିବା ପାଇଁ ଲଢେଇରେ କୋହଳ କରିବେ ନାହିଁ । ମ୍ୟାଜ ଜିତି ସମ୍ମାନ ରକ୍ଷା କରିବା ସହ ଟି-୨୦ ସିରିଜ ପୂର୍ବରୁ ଆତ୍ମବିଶ୍ୱାସ ଫେରି ପାଇବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ଅନ୍ୟପକ୍ଷରେ ସିରିଜ କ୍ଲିନସ୍ୱିପ କରିବା ସହ ଭାରତ ଉପରେ ପ୍ରାଧାନ୍ୟ ବଜାୟ ରଖିବାକୁ ଚାହିଁବ କଙ୍ଗାରୁ ଦଳ । ସେହିପରି ଚଳିତବର୍ଷ ଆରମ୍ଭରୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜକୁ ୦-୩ରେ ହାରିଥିଲା ଭାରତ । ତେଣୁ ଅଷ୍ଟ୍ରେଲିଆ ସିରିଜରେ ସେହି ଧାରା ଭାଙ୍ଗିବାକୁ ପ୍ରାଣପଣେ ଲଢେଇ କରିବ ବିରାଟ ବାହିନୀ ।

ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆରେ ସଚିନଙ୍କ ରେକର୍ଡ ଭାଙ୍ଗି ପାରନ୍ତି ଅଧିନାୟକ ବିରାଟ କୋହଲି । ଦ୍ରୁତତମ ବ୍ୟାଟ୍ସମ୍ୟାନ ଭାବେ ୧୨ ହଜାର ରନ୍ ସଂଗ୍ରହ କରିବାରେ ସଚିନଙ୍କ ରେକର୍ଡକୁ ଟପିଯିବା ପାଇଁ ବିରାଟଙ୍କ ନିକଟରେ ଏକ ସୁଯୋଗ ରହିଛି । ସଚିନଙ୍କ ରେକର୍ଡ ଭିଙ୍ଗିବାକୁ ମାତ୍ର ୨୩ ରନ୍ ଆବଶ୍ୟକ କରୁଛନ୍ତି କୋହଲି । ଯଦି ଏହି ମ୍ୟାଚରେ କୋହଲି ଆଉ ୨୩ ରନ୍ ସଂଗ୍ରହ କରନ୍ତି, ତେବେ ୧୨ ହଜାର ରନ୍ ସଂଗ୍ରହରେ ଦ୍ରୁତତମ ବ୍ୟାଟ୍ସମ୍ୟାନର ଗୌରବ ହାସଲ କରିବେ । ସଚିନ ୩ଶହ ମ୍ୟାଚ୍ ଖେଳି ୧୨ ହଜାର ରନ୍ ପୂରଣ କରିଥିବାବେଳେ କୋହଲି କେବଳ ୨୪୨ ମ୍ୟାଚ ଖେଳି ଏହି ରେକର୍ଡର ଅଧିକାରୀ ହେବେ ।

ସେହିଭଳି ସାମିଙ୍କ ନିକଟରେ ରହିଛି ଅଗରକରଙ୍କ ରେକର୍ଡ ଭାଙ୍ଗିବାର ସୁଯୋଗ । ଭାରତୀୟ ବୋଲର ଭାବରେ ଦିନିକିଆ କ୍ରିକେଟରେ ୧୫୦ଟି ୱିକେଟ ହାସଲ କରିବାର ରେକର୍ଡ ଅଜିତ ଅଗରକରଙ୍କ ନାଁରେ ରହିଛି । ସେ ୯୭ଟି ମ୍ୟାଚ୍ ଖେଳି ଦେଢଶହ ୱିକେଟ ହାସଲ କରିଥିଲେ । କିନ୍ତୁ ସାମି ବର୍ତମାନ ସୁଦ୍ଧା ୭୯ଟି ମ୍ୟାଚ ଖେଳି ୧୪୮ଟି ୱିକେଟ ହାସଲ କରିଛନ୍ତି । ତେଣୁ ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆରେ ଅଜିତ ଅଗରକରଙ୍କ ରେକର୍ଡକୁ ଭାଙ୍ଗିବା ଲାଗି ମହମ୍ମଦ ସାମିଙ୍କ ନିକଟରେ ସୁଯୋଗ ରହିଛି ।