କନକ ବ୍ୟୁରୋ : ସାରା ଦେଶରେ ଚାଲିଛି ଜେଇଇ ମେନ ପରୀକ୍ଷା । ଆଜି ହେଉଛି ଜେଇଇ ମେନ୍ ପରୀକ୍ଷାର ଦ୍ୱିତୀୟ ଦିନ । କୋଭିଡ କଟକଣା ମଧ୍ୟରେ ସମସ୍ତ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଉଛନ୍ତି । ସାରଦେଶରେ ଆଜି ୯ ଲକ୍ଷ ୫୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ୬୬୦ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି । ୨ ଟି ସିଫ୍ଟରେ ପରୀକ୍ଷା ଅନୁଷ୍ଠିତ ହେଉଛି । ସକାଳ ୯ ଟାରୁ ମଧ୍ୟାହ୍ନ ୧୨ ଟା ଯାଏଁ ଏହି ପରୀକ୍ଷା ଚାଲିଥିଲା । ଦ୍ୱିତୀୟ ସିଫ୍ଟ ଅପରାହ୍ନ ୩ଟାରୁ ୬ଟା ମଧ୍ୟରେ ହେବ । ପରୀକ୍ଷାର ଦୁଇ ଘଂଟା ପୂର୍ବରୁ ପରୀକ୍ଷା ହଲର ଗେଟ୍ ଖୋଲିଥିଲା । ବାର କୋଡ୍ ଏବଂ ସିସିଟିଭି ଯାଂଚ ମଧ୍ୟରେ ପରୀକ୍ଷାର୍ଥୀ ପରୀକ୍ଷା ହଲକୁ ପ୍ରବେଶ କରୁଛନ୍ତି ।
ଓଡ଼ିଶାରୁ ଏଥର ୩୮ ହଜାର ୨୩୬ ଜଣ ଛାତ୍ରଛାତ୍ରୀ ଜେଇଇ ମେନ୍ ପରୀକ୍ଷା ଦେବା ପାଇଁ ପଂଜୀକରଣ କରିଛନ୍ତି । ରାଜ୍ୟରେ ମୋଟ୍ ୨୬ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ସେହିପରି ବ୍ରହ୍ମପୁର, କଟକ, ସମ୍ବଲପୁର, ରାଉରକେଲା, ବାଲେଶ୍ୱର, ଢେଙ୍କାନାଳ ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି । ଭୁବନେଶ୍ୱରରେ ହୋଇଥିବା ୬ ଟି କେନ୍ଦ୍ରରେ ପ୍ରାୟ ୧୬ ହଜାର ପିଲା ପରୀକ୍ଷା ଦେଉଛନ୍ତି । ସେପ୍ଟେମ୍ବର ୧ ରୁ ୬ ତାରିଖ ଯାଏଁ ଏହି ପରୀକ୍ଷା ଚାଲିବ ।