କନକ ବ୍ୟୁରୋ : ଆଜି ଫଟାଫଟ କ୍ରିକେଟ ଆଇପିଏଲ-୨୦୨୨ ପାଇଁ ନିଲାମର ଦ୍ୱିତୀୟ ଦିନ । ପ୍ରଥମ ଦିନ ମୋଟ୍ ୭୪ ଜଣ ଖେଳାଳି ନିଲାମ ହୋଇଛନ୍ତି । ଧୁଆଁଧାର ବ୍ୟାଟ୍ସମ୍ୟାନ ଇସାନ କିସାନଙ୍କୁ ସର୍ବାଧିକ ୧୫ କୋଟି ୨୫ଲକ୍ଷ ଟଙ୍କାରେ କିଣିଛି ନିତା ଅମ୍ବାନୀଙ୍କ ମୁମ୍ବାଇ ଇଣ୍ଡିଆନ୍ସ । କିନ୍ତୁ, ସୁରେଶ ରୈନା, ଷ୍ଟିଭ୍ ସ୍ମିଥ୍ ଓ ଡାଭିଡ ମିଲରଙ୍କ ଭଳି କିଛି ବଡ ନାଁକୁ ଏଥର ମାଲିକ ମିଳି ନାହାଁନ୍ତି ।

Advertisment

ସେପଟେ ରାଜସ୍ଥାନ ପକ୍ଷରୁ ରଣଜୀ ଖେଳୁଥିବା ଦ୍ରୁତ ବୋଲର ଅଲରାଉଣ୍ଡର ଦୀପକ ଚହର ଆଇପିଏଲ୍ ଇତିହାସର ସବୁଠାରୁ ଦାମୀ ଭାରତୀୟ ବୋଲର ହେବାର କୀର୍ତ୍ତିମାନ କରିଛନ୍ତି। ପ୍ରତିଦ୍ବନ୍ଦ୍ବୀ ଦଳଗୁଡ଼ିକଠାରୁ କଡ଼ା ଟକ୍କର ପାଇବା ସତ୍ତ୍ବେ ୧୪ କୋଟି ଟଙ୍କା ଦେଇ ଚେନ୍ନାଇ ସୁପରକିଙ୍ଗ୍ସ ଚହରଙ୍କୁ ପୁଣି ଥରେ ନିଜ ଦଳରେ ସାମିଲ କରିଛି। ଭାରତୀୟ ଅନ୍ତର୍ଜାତୀୟ ବ୍ୟାଟର୍‌ ଶ୍ରେୟସ୍ ଆୟରଙ୍କୁ କୋଲକାତା ନାଇଟ୍ ରାଇଡର୍ସ ୧୨.୨୫‌ କୋଟି ଟଙ୍କାରେ କିଣିବା ଶନିବାର ନିଲାମର ଅନ୍ୟତମ ଆକର୍ଷଣ ଥିଲା। ଈଶାନ, ଚହର ଓ ଶ୍ରେୟସଙ୍କ ସହ ହର୍ଷଲ ପଟେଲ, ୱାନିନ୍ଦୁ ହସରଙ୍ଗା, ଶାର୍ଦୁଳ ଠାକୁର, ନିକୋଲାସ ପୂରନ, ଲୋକି ଫର୍ଗୁସନ୍, ଅଭେସ ଖାନ୍ ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଭଳି ୧୦ ଜଣ ଖେଳାଳି ୧୦ କୋଟି କିମ୍ବା ତାଠାରୁ ଅଧିକ ଟଙ୍କା‌ରେ ବିକ୍ରି ହୋଇଥି‌ଲେ। ମଧ୍ୟପ୍ରଦେଶର ୨୬ ବର୍ଷୀୟ ଦ୍ରୁତ ବୋଲର ଅଭେସ ଖାନ୍ (ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍ସ, ୧୦ କୋଟି) ଆଇପିଏଲ୍ ଇତିହାସର ସବୁଠାରୁ ଦାମୀ ଅନକ୍ୟାପ୍‌ଡ୍ ବା ଅଣଅନ୍ତର୍ଜାତୀୟ ଖେଳାଳି ହେବାର ବିରଳ କୀର୍ତ୍ତିମାନର ଅଧିକାରୀ ହୋଇଥିଲେ। ହସରଙ୍ଗା ଓ ପୂରନ ପ୍ରତ୍ୟେକ ୧୦ କୋଟି ୭୫ ହଜାର ଟଙ୍କା ଲେଖାଏଁ ପାଇବା ପରେ ଯୁଗ୍ମଭାବେ ଦାମୀ ବିଦେଶୀ ଖେଳାଳି ହେବାର ଗୌରବ ହାସଲ କରିଥିଲେ।