ବରଗଡ଼ ଧନୁଯାତ୍ରାର ଆଜି ଦ୍ୱିତୀୟ ଦିନ । ଶ୍ରୀକୃଷ୍ଣ ଜନ୍ମ ଓ ଗୋପପୁର ଯାତ୍ରା ନେଇ ହେବ ଦୃଶ୍ୟ ଅଭିନୟ

113

କନକ ବ୍ୟୁରୋ : ଆଜି ବରଗଡ଼ ଧନୁଯାତ୍ରାର ଦ୍ୱିତୀୟ ଦିନ । ମଥୁରାବାସୀଙ୍କ ମନୋରଞ୍ଜନ ସକାଶେ ରଙ୍ଗମହଲର ଉଦଘାଟନ କରିବେ ମହାରାଜ କଂସ । ସେପଟେ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଶ୍ରୀକୃଷ୍ଣଙ୍କ ଜନ୍ମ ସହ କଂସ ଭୟରେ କୃଷ୍ଣଙ୍କୁ ନେଇ ବାସୁଦେବଙ୍କ ଗୋପପୁର ଯାତ୍ରା, ଉଗ୍ରସେନଙ୍କ ସହ ଭେଟ ଓ ଯଶୋଦାଙ୍କ କୋଳରେ କୃଷ୍ଣଙ୍କୁ ଥୋଇ ବିଜୁଳି କନ୍ୟାଙ୍କୁ ନେଇ ମଥୁରା ଫେରିବାର ଦୃଶ୍ୟ ଅଭିନୀତ ହେବ ।

୭୬ତମ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଉଦଘାଟିତ ହୋଇ ସାରିଥିବା ବେଳେ ପ୍ରଥମ ଦିନରେ ମୁକ୍ତାକାଶ ରଂଗମଞ୍ଚରେ ଦେବକି ବାସୁଦେବଙ୍କ ବାହାଘର, ଯୁବରାଜ କଂସଙ୍କର ରାଜ୍ୟାଭିଷେକ ଭଳି ପ୍ରମୁଖ ଦୃଶ୍ୟ ଅଭୀନିତ ହୋଇଛି । ଉଦଘାଟନୀ କାର୍ଯ୍ୟକ୍ରମରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ବିଧାୟକ ଦେବେଶ ଆଚାର୍ଯ୍ୟ, ଧନୁଯାତ୍ରା କମିଟିର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ମନୀଷା ବାନାର୍ଜୀ, ଏସପି ପ୍ରହ୍ଲାଦ ସିଂ ମୀନାଙ୍କ ସମେତ ଧନୁଯାତ୍ରା କମିଟିର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ । ବରଗଡରେ ମହାରାଜ କଂସଙ୍କ ରାଜ୍ୟାଭିଷେକ ଚାଲିଥିବା ବେଳେ ଆମ୍ବାପାଲିଠାରେ ଗୋପପୁରର ଦୃଶ୍ୟ ଅଭିନୀତ ହୋଇଛି । ୧୧ ଦିନ ଧରି ବରଗଡ଼ ଧନୁଯାତ୍ରା ଚାଲିବାକୁ ଥିବା ବେଳେ ଏହି ଅବସରରେ ମେଳା ଓ ମୀନାବଜାରର ଆସର ଜମିଛି । ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବରଗଡ଼ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।