କନକ ବ୍ୟୁରୋ : ପାଞ୍ଚ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଶୁକ୍ରବାର ତାର ଚଳିତ ଆଇପିଏଲ୍ ଅଭିଯାନର ସବୁଠାରୁ ବଡ଼ ପରୀକ୍ଷାରେ ଅବତୀର୍ଣ୍ଣ ହେବ। ରୋହିତ ଶର୍ମାଙ୍କ ସହ ପଏଣ୍ଟ୍ ତାଲିକାର ସବାଶେଷ ସ୍ଥାନରେ ରହି ପ୍ଲେ ଅଫ୍ ଦୌଡ଼ରୁ ବାଦ ପଡ଼ିସାରିଥିବା ସନ୍ରାଇଜର୍ସ ହାଇଦ୍ରାବାଦକୁ ଭେଟିବ। ପୂର୍ବ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସକୁ ୮ ୱିକେଟ୍ରେ ହରାଇଥିବା ମୁମ୍ବାଇ ସଂପ୍ରତି ୧୩ ମ୍ୟାଚ୍ରୁ ୬ ବିଜୟ ସହ ୧୨ ପଏଣ୍ଟ୍ ପାଇ ପଞ୍ଚମ ସ୍ଥାନରେ ରହିଛି। ତେବେ ଏହି ଦଳ ପାଇଁ ସବୁଠାରୁ ବଡ଼ ସମସ୍ୟା ହେଲା ତାର ଦୁର୍ବଳ ନେଟ୍ ରନ୍ ରେଟ୍ ।
ମୁମ୍ବାଇ ଇଣ୍ଡିଆନ୍ସର ନେଟ୍ ରନ୍ ରେଟ୍ ସଂପ୍ରତି -୦.୦୪୮ ରହିଛି। ସେଥିପାଇଁ ପ୍ଲେ ଅଫ୍ ଯିବା ଲାଗି ଆଜି ମୁକାବିଲାରେ ସନ୍ରାଇଜର୍ସକୁ ହରାଇବା ସହ ଭଲ ରନ୍ ରେଟ୍ ରଖିବା ମୁମ୍ବାଇ ପାଇଁ ଏକାନ୍ତ ଅପରିହାର୍ଯ୍ୟ ହୋଇଯାଇଛି । ହେଲେ ପ୍ରତିପକ୍ଷ ସନ୍ରାଇଜର୍ସ ହାଇଦ୍ରାବାଦ ତାର ପୂର୍ବ ମୁକାବିଲାରେ ତାରକା ଖଚିତ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଦଳକୁ ହରାଇବା ପରେ ତାର ମନୋବଳ ଏବେ ଢେର ଉଚ୍ଚରେ ରହିଛି । କେନ୍ ୱିଲିୟମସନ୍ଙ୍କ ଅଧିନାୟକତ୍ବରେ ଖେଳୁଥିବା ସନ୍ରାଇଜର୍ସ ମଧ୍ୟ ବିଜୟରେ ନିଜ ଅଭିଯାନ ଶେଷ କରି କିଛିଟା ସମ୍ମାନ ଫେରି ପାଇବା ଆଶାରେ ଥିବ। ମୁମ୍ବାଇ ପାଖରେ ଅବଶ୍ୟ ବହୁ ମ୍ୟାଚ୍ ବିଜୟୀ ଖେଳାଳି ଅଛନ୍ତି। ନିଜେ ରୋହିତ ଯେ କୌଣସି ମ୍ୟାଚ୍ର ମୋଡ଼ ବଦଳାଇବାକୁ ପୂରା ସକ୍ଷମ । ତେବେ ଏହି ଦଳର ମଧ୍ୟକ୍ରମକୁ ଅଧିକ ଦାୟିତ୍ବବାନ ହେବାକୁ ପଡ଼ିବ ।
ସମ୍ଭାବ୍ୟ ମୁମ୍ବାଇ ଇଣ୍ଡିଆନ୍ସ : ରୋହିତ ଶର୍ମା (ଅଧିନାୟକ), ଈଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ହାର୍ଦିକ ପାଣ୍ଡ୍ୟା, ସୌରଭ ତିୱାରୀ, କିରଣ ପୋଲାର୍ଡ, ଜେମ୍ସ ନୀସାମ, ନାଥନ କୁଲଟର ନାଇଲ୍, ଜୟନ୍ତ ଯାଦବ, ଯଶପ୍ରୀତ ବୁମ୍ରା, ଟ୍ରେଣ୍ଟ ବୋଲ୍ଟ
ସମ୍ଭାବ୍ୟ ସନ୍ରାଇଜର୍ସ ହାଇଦ୍ରାବାଦ : ଜାସନ ରୟ, ଅଭିଷେକ ଶର୍ମା, କେନ୍ ୱିଲିୟମସନ୍ (ଅଧିନାୟକ), ପ୍ରିୟମ ଗର୍ଗ, ଅବଦୁଲ ସମଦ, ଋଦ୍ଧିମାନ ସାହ, ଜାସନ ହୋଲ୍ଡର, ରସିଦ ଖାନ୍, ଭୁବନେଶ୍ବର କୁମାର, ସିଦ୍ଧାର୍ଥ କୌଲ, ଉମ୍ରାନ ମଲ୍ଲିକ
ଟେବୁଲର ଶୀର୍ଷ ସ୍ଥାନରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଆର୍ସିବି ଏକ ବଡ଼ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିଛି। ତେବେ ଆତ୍ମବିଶ୍ବାସଭରା ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇବା ଆର୍ସିବି ପାଇଁ ଆଦୌ ସହଜ ହେବନି। କାରଣ ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ଗତ ମୁକାବିଲାରେ ଆର୍ସିବି ମାତ୍ର ୧୪୨ ରନ୍ର ବିଜୟ ଲକ୍ଷ୍ୟକୁ ବି ହାସଲ କରି ପାରିନଥିଲା । ଅଧିନାୟକ ବିରାଟ କୋହଲି, ଗ୍ଲେନ୍ ମ୍ୟାକ୍ସୱେଲ୍, ଦେବଦତ୍ତ ପଡ଼ିକଲ, ଏବି ଡି’ଭିଲିୟର୍ସଙ୍କ ଭଳି ପାୱାର ହିଟର୍ ଥିଲେ ମଧ୍ୟ ଠିକଣା ସମୟରେ ସମସ୍ତେ ନିଜ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ । ଆର୍ସିବି ବୋଲରମାନେ ଅବଶ୍ୟ ମାପଚୁପ ବୋଲିଂ କରି ସନ୍ରାଇଜର୍ସକୁ ଦେଢ଼ ଶହ ରନ୍ ତଳେ ଅଟକାଇ ଦେଇଥିଲେ । ହର୍ଷଲ ପଟେଲ, ଜର୍ଜ ଗର୍ଟନ, ମହମ୍ମଦ ସିରାଜ, ୟୁଜବେନ୍ଦ୍ର ଚହଲ ଓ ଶାହବାଜ ଅହମ୍ମଦଙ୍କୁ ଶୁକ୍ରବାର ମଧ୍ୟ ନିଜ ପୁରୁଣା ସଫଳତାକୁ ଦୋହରାଇବାକୁ ପଡ଼ିବ ।
ଅନ୍ୟପକ୍ଷରେ ଗତ ୫ ମ୍ୟାଚ୍ରୁ ୪ଟିରେ ବିଜୟୀ ହୋଇଥିବା ଦିଲ୍ଲୀ ଉଭୟ ବଲ୍ ଓ ବ୍ୟାଟ୍ରେ ବେଶ୍ ଶକ୍ତିଶାଳୀ । ପୃଥ୍ବୀ ସ’, ଶିଖର ଧାୱନ, ଶ୍ରେୟସ୍ ଆୟର, ଅଧିନାୟକ ଋଷଭ ପନ୍ତଙ୍କ ସହ ଆନରିକ ନର୍ଖିୟା, କାଗିସୋ ରବାଦା, ରବିଚନ୍ଦ୍ରନ୍ ଅଶ୍ବିନ ଓ ଅକ୍ଷର ପଟେଲଙ୍କ ଭଳି ଖେଳାଳି ଏହି ଦଳ ପାଖରେ ଅଛନ୍ତି। ଆର୍ସିବି ଓ ଦିଲ୍ଲୀ କ୍ୟାପିଟାଲ୍ସ ୨୬ ମ୍ୟାଚ୍ରେ ପରସ୍ପରକୁ ଭେଟିଛନ୍ତି। ସେଥିମଧ୍ୟରୁ ୧୫ ମ୍ୟାଚ୍ ଜିତି ଢେର ଆଗରେ ରହିଛି ଆର୍ସିବି । ଦିଲ୍ଲୀ କେବଳ ୧୦ ମ୍ୟାଚ୍ ଜିତିଛି। ଗୋଟିଏ ମ୍ୟାଚ୍ର ଫ ଳାଫଳ ମିଳିନି । ଦିଲ୍ଲୀ କିନ୍ତୁ ସଂପ୍ରତି ବହୁତ ଭଲ ଫର୍ମରେ ଅଛି। ଯାହା ଆର୍ସିବି ପାଇଁ ଚିନ୍ତାର କାରଣ ହୋଇପାରେ।
ସମ୍ଭାବ୍ୟ ଦିଲ୍ଲୀ କ୍ୟାପିଟାଲ୍ସ : ପୃଥ୍ବୀ ସ’, ଶିଖର ଧାୱନ, ଶ୍ରେୟସ୍ ଆୟର, ଋଷଭ ପନ୍ତ, ରିପଲ ପଟେଲ, ରବିଚନ୍ଦ୍ରନ୍ ଅଶ୍ବିନ, ସିମରନ୍ ହେଟମେୟର, ଅକ୍ଷର ପଟେଲ, କାଭିସୋ ରବାଦା, ଅଭେସ ଖାନ୍, ଅନରିକ୍ ନର୍ଖିୟା।
ସମ୍ଭାବ୍ୟ ଆର୍ସିବି : ବିରାଟ କୋହଲି (ଅଧିନାୟକ), ଦେବଦତ୍ତ ପଡ଼ିକଲ, ଡାନ୍ କ୍ରିଷ୍ଟିଆନ୍, ଶ୍ରୀକର ଭାରତ, ଗ୍ଲେନ୍ ମ୍ୟାକ୍ସୱେଲ୍, ଏବି ଡିଭିଲିୟର୍ସ, ଶାହାବାଜ ଅହମ୍ମଦ, ଜର୍ଜ ଗର୍ଟନ, ହର୍ଷଲ ପଟେଲ, ମହମ୍ମଦ ସିରାଜ, ୟୁଜବେନ୍ଦ୍ର ଚହଲ।