ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଆଜି ଶେଷଦିନ : ଅପରାହ୍ନରେ ଆସିବ ଚୂଡାନ୍ତ ପ୍ରାର୍ଥୀ ତାଲିକା; ନିର୍ବାଚନ ଚିହ୍ନ ମିଳିବା ପରେ ଜୋରଦାର ହେବ ପ୍ରଚାର

112

କନକ ବ୍ୟୁରୋ : ପଂଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଆଜି ଶେଷ ଦିନ । ସଂଧ୍ୟାରେ ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା । ଏଥିସହ ପ୍ରାର୍ଥୀଙ୍କୁ ଚିହ୍ନ ମଧ୍ୟ ମିଳିବ । ଏହାପରେ ନିଜ ଚିହ୍ନରେ ଭୋଟ ଦେବାକୁ ଭୋଟରଙ୍କୁ ମନେଇବେ ପ୍ରାର୍ଥୀ ନେତା । ଆସନ୍ତାକାଲିଠୁ ସରଗମର ହେବ ନିର୍ବାଚନ ପ୍ରଚାର । ତିନି ଦଳର ବିଦ୍ରୋହୀ ନେତାଙ୍କୁ ମନେଇବା ପାଇଁ ଉଦ୍ୟମ ହୋଇଛି । ତେଣୁ ଆଜି ସ୍ପଷ୍ଟ ହେବ ବିଦ୍ରୋହୀଙ୍କୁ ମନେଇବାରେ କେଉଁ ଦଳ କେତେ ସଫଳ ହୋଇଛି । ବିଦ୍ରୋହୀଙ୍କ ନିଷ୍ପତି ଉପରେ ନିର୍ଭର କରୁଛି ଦଳର ପ୍ରଦର୍ଶନ । ତେଣୁ ବିଦ୍ରୋହୀଙ୍କୁ ମନେଇବା ପାଇଁ ସମସ୍ତ କୌଶଳ ଆପଣେଇଛନ୍ତି ତିନି ଦଳର ନେତା ।

ପଂଚାୟତ ନିର୍ବାଚନରେ ଏହି ବିଦ୍ରୋହୀପ୍ରାର୍ଥୀମାନେ ଦଳୀୟ ପ୍ରାର୍ଥୀଙ୍କ ଗଣିତ ବିଗାଡିବାର ଯଥେଷ୍ଟ ସମ୍ଭାବନା ରହିଛି । ମୋଟ ୬ ହଜାର ୭୯୪ ଗ୍ରାମପଂଚାୟତରେ ସଂରପଚ ପଦ ପାଇଁ ୩୨ ହଜାର ୮୬୦ ପ୍ରାର୍ଥୀପତ୍ର ଦାଖଲ ହୋଇଛି । ମୋଟ ୬, ୭୯୩ ସମିତିସଭ୍ୟ ପାଇଁ ୨୭ ହଜାର ୦୩୪ ପ୍ରାର୍ଥୀପତ୍ର ଦାଖଲ ହୋଇଛି । ୮୫୩ ଜିଲ୍ଲାପରିଷଦ ଜୋନ ପାଇଁ ୩ ହଜାର ୭୬୭ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଆଉ ଏତେ ସଂଖ୍ୟକ ପ୍ରାର୍ଥୀପତ୍ର ଦାଖଲ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଅନେକ ବିଦ୍ରୋହୀ ଅଛନ୍ତି, ଯାହା ରାଜନୈତିକ ଦଳଗୁଡିକର ଚିନ୍ତା ବଢାଇଛି ।

ଆଜି ଚୂଡାନ୍ତ ତାଲିକା ପ୍ରକାଶ ପାଇବା ପରେ ଜଣା ପଡିବ କେଉଁ ଜିଲ୍ଲାପରିଷଦ ଜୋନରେ କାହା ବିରୋଧରେ କିଏ ଲଢିବ ତାହା ସ୍ପଷ୍ଟ ହେବ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୨୦୨୨ ପଂଚାୟତ ନିର୍ବାଚନକୁ ସେମିଫାଇନାଲ ବୋଲି କୁହାଯାଉଛି । ତେଣୁ ଏହି ପଂଚାୟତ ନିର୍ବାଚନ ୩ ଦଳ ପାଇଁ ଏସିଡ ଟେଷ୍ଟ ବୋଲି କୁହାଯାଉଛି । ଜନମତକୁ କିଏ କେତେ ନିଜ ଆଡକୁ ଟାଣୁଛି ତାହା ଏହି ପଂଚାୟତ ନିର୍ବାଚନରୁ ହିଁ ସ୍ପଷ୍ଟ ହେବ ।