ଆଜି କୁମାରୀମାନଙ୍କ ବଡ଼ ପର୍ବ କୁମାର ପୂର୍ଣ୍ଣିମା : ପରଦା ପଛରେ ମା’ଙ୍କ ପୂଜା ; କରୋନା କାରଣରୁ ଦଶହରା ପରେ ଫିକା ପଡିଛି ଗଜଲକ୍ଷ୍ମୀ ପୂଜା

474

କନକ ବ୍ୟୁରୋ : ଆଜି କୁମାର ପୁର୍ଣ୍ଣିମା । ଓଡିଶାର ଘରେ ଘରେ କୁଆଁରୀ ଝିଅମାନେ ଆଜିର ଦିନରେ ସଂଧ୍ୟା ସମୟରେ ଜହ୍ନକୁ ଦେଖି ପୂଜା କରିଥାନ୍ତି । କଥାରେ ଅଛି ଉତମ ଓ ସୁନ୍ଦର ଜୀବନ ସାଥୀଟିଏ ପାଇବା ପାଇଁ ଅବିବାହିତା ଝିଅମାନେ ଏହି ପୂଜା କରିଥାନ୍ତି । ସକାଳ ସୂର୍ଯ୍ୟୋଦୟ ସମୟରେ ସୂର୍ଯ୍ୟଙ୍କୁ ପୂଜା କରିଥାନ୍ତି । ସଂଧ୍ୟା ସମୟରେ ତୁଳସୀ ଚଉରା ମୂଳେ କୁଲାରେ, ଲିଆ, କାକୁଡି, ଗୁଡ ଓ ନଡିଆ ଆଦି ଭୋଗ ଥୋଇ ଚନ୍ଦ୍ରଙ୍କୁ ପୂଜା କରିଥାନ୍ତି । ଓଡିଶାର ଅଧିକାଂଶ ଅଂଚଳରେ ଝିଅମାନେ ଦିନରେ ଉପବାସ କରନ୍ତି ଏବଂ ସଂଧ୍ୟା ପରେ ଚନ୍ଦ୍ର ଦର୍ଶନ କରି ଉପବାସ ଭାଙ୍ଗନ୍ତି । ସଂଧ୍ୟା ସମୟରେ ନୂଆ ପୋଷାକ ପରିଧାନ କରି ଝିଅମାନେ ଚନ୍ଦ୍ରଙ୍କୁ ପୂଜା ଅର୍ଚ୍ଚନା କରିଥାନ୍ତି ।

ଗଜଲକ୍ଷ୍ମୀ ପୂଜା ପାଇଁ ଆଜି ଚାରିଆଡେ ଉତ୍ସାହର ମାହୋଲ । ବିଶେଷ କରି ଢ଼େଙ୍କାନାଳ ଓ କେନ୍ଦ୍ରାପଡ଼ାରେ ପୂଜା ପାଇଁ ବିଶେଷ ଆୟୋଜନ ହୋଇଛି । ହେଲେ କୋଭିଡ୍ କଟକଣା ଯୋଗୁଁ ସାଧାରଣ ଦର୍ଶନ ଉପରେ ରୋକ୍ ଲାଗିଛି । ପରଦା ପଛରେ ମା’ଙ୍କ ପୂଜା ବିଧି ଚାଲିଛି । ଅଳ୍ପ ସଂଖ୍ୟକ ପୂଜକରେ ମାଆଙ୍କ ରୀତିନୀତି ଚାଲିଛି । କରୋନା କାରଣରୁ ଦଶହରା ପରେ ଫିକା ପଡିଛି ଗଜଲକ୍ଷ୍ମୀ ପୂଜା । ତଥାପି କଟକଣାକୁ ମାନି ଏଥର ମାଆ ଧନଦାତ୍ରୀଙ୍କ ଆବାହନକୁ ନେଇ ଲୋକଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ତେବେ ପ୍ରତିବର୍ଷ ପରି ମଣ୍ଡପରେ ମାଆଙ୍କ ଦର୍ଶନରୁ ବଂଚିତ ହେଉଥିବାରୁ ଭକ୍ତଙ୍କ ମନରେ ଦୁଃଖ ଆସିଛି ।