ଆଜି ପବିତ୍ର ବଡ଼ ଓଷା : କିରାତଅର୍ଜୁନ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର

ମଧ୍ୟରାତ୍ରୀରେ ବାବାଙ୍କ ଠାରେ ଲାଗି ହେବ ଗଜଭୋଗ; ଭକ୍ତଙ୍କୁ ଆସିବା ମନା, କରୋନା କଟକଣା ପାଇଁ ଲାଗିଛି ୧୪୪ ଧାରା

313

କନକ ବ୍ୟୁରୋ : ଆଠଗଡର ପ୍ରସିଦ୍ଧ ଧବଳେଶ୍ୱର ପୀଠରେ ଆଜି ବଡଓଷା ପାଳନ କରାଯାଉଛି । ଏହି ଅବସରରେ ମହାଦେବଙ୍କଠାରେ ସ୍ୱତନ୍ତ୍ର ଭୋଗ ଲାଗିହୁଏ । ଏହାକୁ କୁହାଯାଏ ଗଜା ପିଠା । ଅରୁଆ ଚାଉଳ ଚୂନାରେ ଏହି ପିଠା ପ୍ରସ୍ତୁତ ହୁଏ । ମହାଦେବଙ୍କୁ ଅର୍ପଣ ପରେ ଭକ୍ତମାନେ ଏହାକୁ ସେବନ କରିଥାନ୍ତି । ବଡଓଷାର ମୁଖ୍ୟପୀଠ ହେଉଛି ଶ୍ରୀ ଶ୍ରୀ ଧବେଳଶ୍ୱର । କୁହାଯାଏ, ବ୍ରହ୍ମାଙ୍କ ଦ୍ୱାରା ଶାପଗ୍ରସ୍ତ ହେବା ପରେ ଦେବରାଜ ଇନ୍ଦ୍ର ଧବଳେଶ୍ୱର ପୀଠକୁ ଆସି ଶାପମୁକ୍ତ ହୋଇଥିଲେ ।

ଯେଉଁଠି ଶ୍ରଦ୍ଧାଳୁଙ୍କ କାର୍ତିକ ମାସ ସାରା ଭିଡ଼ ଲାଗୁଥିଲା ଆଜି ବିନା ଭକ୍ତରେ ପୂଜା ପାଉଛନ୍ତି ବାବା ଧବଳେଶ୍ୱର । କରୋନା କଟକଣା ପାଇଁ ଭକ୍ତଙ୍କୁ ଧବଳେଶ୍ୱର ଯିବାକୁ ବାରଣ କରାଯାଇଛି । ମନ୍ଦିର ପରିସରରେ ପୂର୍ବରୁ ୧୪୪ ଧାରା ଜାରି କରାଯାଇଛି । ସେପଟେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଡକିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହେଉଛି । ଭୋରୁ ଶ୍ରୀଜିଉଙ୍କ ଅବକାଶ ନୀତି ଶେଷ ହେବା ପରେ ଏହି ବେଶ ଆରମ୍ଭ ହୋଇଛି । ପୁଷ୍ପାଳକ ସେବକମାନେ ଏହି ବେଶ କରିଥାନ୍ତି । ଆଡକିଆ ବେଶରେ ଜଗନ୍ନାଥ ଓ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲଗାଯାଏ । ଚୂଳ ଦୁଇଟି ସୋଲ, କନା, ବେତ, ଜମ୍ବୁରା, କଇଁଥ ଅଠାରେ ନିର୍ମାଣ ହୋଇଥାଏ । ଏହି ବେଶରେ ସୁଭଦ୍ରା ଓ ଅନ୍ୟ ଦୁଇ ଠାକୁରଙ୍କ ମସ୍ତକର ଶୀର୍ଷ ଭାଗରେ ସ୍ୱର୍ଣ୍ଣ ଚନ୍ଦ୍ରିକା ବି ଖଞ୍ଜା ଯାଇଥାଏ । ହେଲେ ଏଥର କରୋନା କଟକଣା ଭକ୍ତଙ୍କୁ ଭଗବାନଙ୍କ ଏହି ବେଶ ଦର୍ଶନରୁ ବଂଚିତ କରିଛି ।