ଆଜି ପବିତ୍ର ମକର ସଂକ୍ରାନ୍ତି । ମହାପ୍ରଭୁଙ୍କୁ ଅର୍ପଣ କରାଯିବ ମକର ଚାଉଳ ଓ ଧନୁମୁଆଁ ଭୋଗ

207

କନକ ବ୍ୟୁରୋ : ଆଜି ପବିତ୍ର ମକର ସଂକ୍ରାନ୍ତି । ମକର ସଂକ୍ରାନ୍ତି ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ପ୍ରମୁଖ ପୀଠ । ବିଶେଷକରି ବାଘମାରିର ଅଟ୍ରି ମକର ପାଇଁ ଚଳଚଞ୍ଚଳ । ଛୁଆ ପାଇଁ ଗୁଆ ଖୋଜାର ରହିଛି ସ୍ୱତନ୍ତ୍ର ବିଧି । ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ଉଷ୍ମପ୍ରସବନ ତଥା ଏକାଦଶ ରୁଦ୍ର ହଟନାଥ ହଟକେଶ୍ୱର ମହାଦେବଙ୍କ ପୀଠରେ ଭକ୍ତଙ୍କ ସମାଗମ । ଗହଳିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଲୋକମାନେ କିପରି ଶାନ୍ତିଶୃଙ୍ଖଳାର ସହ ଦର୍ଶନ କରିବେ, ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଉଷ୍ମ କୁଣ୍ଡ, ମାନସିକ କୁଣ୍ଡ ଆଦିକୁ ମରାମତି ସହ ରଙ୍ଗ ଦିଆଯାଇ ପ୍ରସ୍ତୁତ କରାଯାଇଛି । ପୌରାଣିକ ବିଶ୍ୱାସ ରହିଛି ଯେ ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟଙ୍କ ଉତରାୟନ ଗତି ହୋଇଥାଏ । ବର୍ଷର ଏହି ଦିନ ରାତ୍ରରେ ହଟନାଥ ପୀଠରେ ଅନେକ ଭକ୍ତ ସେମାନଙ୍କର ମାନସିକ ପୂରଣ କରିବାକୁ ଆସିଥାନ୍ତି ।

ସେପଟେ ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତିରେ ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳଲାଗି କରାଯାଇ ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହେବ । ମହାପ୍ରଭୁଙ୍କୁ ମକର ଚାଉଳ ଓ ଧନୁମୁଆଁ ଭୋଗ ଅର୍ପଣ କରାଯିବ । ଘଂଟ ଛତାର ପଟୁଆରରେ ମକରବେଢ଼ା ଅନୁଷ୍ଠିତ ହେବ ।