କନକ ବ୍ୟୁରୋ: ଆଜି ପବିତ୍ର ହେରା ପଂଚମୀ । ଭାଇ ଭଉଣୀଙ୍କୁ ରଥରେ ନେଇ ଜନ୍ମବେଦୀଙ୍କୁ ଆସିଛନ୍ତି ମହାପ୍ରଭୁ । ହେଲେ ପତ୍ନୀ ମହାଲକ୍ଷ୍ମୀଙ୍କୁ ସାଥୀରେ ଆଣି ନାହାନ୍ତି । ତେଣୁ ସ୍ୱାମୀଙ୍କ ଅନୁପସ୍ଥିତିରେ ମନର ଦୁଃଖ ଭଉଣୀ ମା’ ବିମଳା ଦେବୀଙ୍କ ନିକଟରେ କହିଛନ୍ତି । ଭଉଣୀଙ୍କ ପରାମର୍ଶ ପାଇବା ପରେ ରଥ ନିକଟକୁ ଆସିବେ ଲକ୍ଷ୍ମୀ ଠାକୁରାଣୀ । ହେରାପଂଚମୀରେ ମା’ ମହାପ୍ରଭୁଙ୍କୁ ଏକାନ୍ତରେ ଦର୍ଶନ କରିବା ସହ ଆସିବା ବେଳେ ଅଭିମାନରେ ନନ୍ଦିଘୋଷ ରଥରୁ କାଠ ଖଣ୍ଡେ ଭାଙ୍ଗି ଦେଇ ଫେରିବେ । ଶ୍ରୀଗୁଣ୍ଡିଚା ଯାତ୍ରାର ଆଜି ହେଉଛି ପଂଚମ ଦିନ । ଆଜିର ଦିନରେ ଲକ୍ଷ୍ମୀ ଠାକୁରାଣୀ ଗୁଣ୍ଡିଚା ମନ୍ଦିରକୁ ଆସିବାର ପରମ୍ପରା ରହିଛି । ହେରା ପଂଚମୀ ପରଦିନ ପ୍ରଭୁଙ୍କର ଆଜ୍ଞାମାଳ ଦିଆଯାଇ ରଥ ଦକ୍ଷିଣ ମୋଡ ହୋଇ ନାକଚଣା ଦ୍ୱାର ନିକଟକୁ ଯିବ । ହେରାପଂଚମୀ ନୀତି ପରେ ଆରମ୍ଭ ହେବା ବାହୁଡା ଯାତ୍ରାର ପ୍ରସ୍ତୁତି ପର୍ବ । ବାହୁଡାକୁ ଶୃଙ୍ଖଳିତ କରିବା ପାଇଁ ଆସନ୍ତା ୨୭ ତାରିଖ ସଂଧ୍ୟା ଦର୍ଶନ ଅପରାହ୍ନ ୫ଟାରୁ ବନ୍ଦ କରାଯିବ । ୨୮ ତାରିଖରେ ବାହାଡାଯାତ୍ରା ଅନୁଷ୍ଠିତ ହେବ । ଏଥପାଇଁ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତିତି ଆରମ୍ଭ କରି ଦେଇଛି । ବାହୁଡା ବେଳେ ୧୮୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ ।