କନକ ବ୍ୟୁରୋ: ନୂଆ ସଂସଦ ଭବନ କିଏ ଉଦଘାଟନ କରିବା ଉଚିତ ରାଷ୍ଟ୍ରପତି ନା ପ୍ରଧାନମନ୍ତ୍ରୀ । ଏହାକୁ ନେଇ ରାଜନୈତିକ ବିବାଦ ଦେଖାଦେଇଥିବା ବେଳେ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଆଜି ଏହି ମାମଲାର ଶୁଣାଣି ହେବାର ସୂଚନା ରହିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ନୂଆ ସଂସଦ ଭବନ ରାଷ୍ଟ୍ରପତିଙ୍କ ଦ୍ୱାରା ଉଦ୍ଘାଟନ କରାଇବା ପାଇଁ ଲୋକସଭା ସଚିବାଳୟ ଏବଂ କେନ୍ଦ୍ର ସରକାଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ନିବେଦନ କରି ସୁପ୍ରିମ୍ କୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଥିଲା । ଆଡଭୋକେଟ୍ ସି.ଆର ଜୟ ସୁକିନ୍ ଫାଇଲ୍ କରିଥିବା ଏହି ଆବେଦନରେ କୁହାଯାଇଛି ଯେ ଉଦଘାଟନ ଉତ୍ସବରେ ରାଷ୍ଟ୍ରପତିଙ୍କୁ ଅନ୍ତର୍ଭୁକ୍ତ ନ କରାଇ କେନ୍ଦ୍ର ସରକାର ଭାରତର ସମ୍ବିଧାନ ଉଲଂଘନ କରିଛନ୍ତି । ସଂସଦ ହେଉଛି ଭାରତର ସର୍ବୋଚ୍ଚ ଆଇନ ପ୍ରଣୟନକାରୀ ସଂସ୍ଥା । ରାଷ୍ଟ୍ରପତି ଏବଂ ଦୁଇ ଗୃହ ଲୋକସଭା ଓ ରାଜ୍ୟସଭାକୁ ନେଇ ସଂସଦ ଗଠିତ । ସଂସଦ ବା ଲୋକସଭା ଭାଙ୍ଗିବାର କ୍ଷମତା ରାଷ୍ଟ୍ରପତିଙ୍କର ଅଛି ବୋଲି ଉକ୍ତ ପିଟିସନ୍ରେ ଉଲ୍ଲେଖ କରାଯାଇଛି । ମେ ୨୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ମୋଦୀ ୪ ତାଲାବିଶିଷ୍ଟ ନୂଆ ସଂସଦ ଭବନର ଉଦ୍ଘାଟନ କରିବେ । ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଆମନ୍ତ୍ରଣକ୍ରମେ ମୋଦୀ ଉଦଘାଟନ କରିବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ସରକାରର ମୁଖ୍ୟ ହୋଇଥିବା ବେଳେ ରାଷ୍ଟ୍ରପତି ଦେଶର ମୁଖ୍ୟ ଅଟନ୍ତି । ତେଣୁ, ରାଷ୍ଟ୍ରପତି ନୂତନ ସଂସଦ ଭବନ ଉଦ୍ଘାଟନ କରିବା ଉଚିତ ବୋଲି ବିରୋଧୀ ଦଳମାନେ ଯୁକ୍ତି ବାଢ଼ିଛନ୍ତି ।