ଆଜି ପ୍ରତିଷ୍ଠା ଦିବସ… ନନ୍ଦନକାନନର ଚାଲିଛି ନବକଳେବର । ଖୋଲିଲା ସେଲ୍ଫି ପଏଣ୍ଟ୍, ନୂଆବର୍ଷରୁ ଖୋଲିବ ମଲ୍ଟି ଷ୍ଟୋରେଜ୍ ପାର୍କିଂ । ଭିତରକୁ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଲଗି ରହିଥିବା ସମସ୍ୟାର ହେବ ସମାଧାନ

୪୩୭ ଏକର ପରିମିତ ଜମିରେ ଛିଡ଼ା ହୋଇଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନର ନବକଳେବର ଚାଲିଛି ।

150

୪୩୭ ଏକର ପରିମିତ ଜମିରେ ଛିଡ଼ା ହୋଇଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନର ନବକଳେବର ଚାଲିଛି । ଅସଜଡ଼ା ଭିତ୍ତିଭୂମିକୁ ସଜାଡ଼ିବା ସହ ନୂଆ ବ୍ୟବସ୍ଥା ଆପଣାଇବାକୁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ୨୦୧୭-୧୮ ଆର୍ଥିକ ବର୍ଷରୁ ଆରମ୍ଭ ହୋଇଥିବା ବହୁ ପ୍ରତୀକ୍ଷିତ ମଲ୍‌ଟି ଷ୍ଟୋରେଜ୍‌ ପାର୍କିଂ ୨୦୨୧ ପ୍ରଥମାର୍ଦ୍ଧରେ ଉଦଘାଟନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିସହ ମଙ୍ଗଳବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପ୍ରତିଷ୍ଠା ଦିବସ ଅବସରରେ ନୂତନ ପ୍ରସ୍ଥାନ ପଥର ଉଦଘାଟନ ସହ ପର୍ଯ୍ୟଟକଙ୍କ ଲାଗି ସରୀସୃପ ଉଦ୍ୟାନ ଛକରେ ଏକ ସେଲ୍‌ଫି ପଏଣ୍ଟ ହୋଇଛି । ମଙ୍ଗଳବାର ପୂର୍ବାହ୍ନରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିଷ୍ଠା ଦିବସ ପାଳନ ଉତ୍ସବରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହାକୁ ଉଦ‌ଘାଟନ କରିବେ ।

ନନ୍ଦନକାନନ ଭିତରକୁ ପ୍ରବେଶ ଓ ପ୍ରସ୍ଥାନ ଲାଗି ଦୀର୍ଘ ବର୍ଷ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ । ଏବେ ପର୍ଯ୍ୟଟକମାନେ ଯେଉଁ ରାସ୍ତା ଦେଇ ଭିତରକୁ ପ୍ରବେଶ କରୁଛନ୍ତି, ସେହି ରାସ୍ତାରେ ବାହାରକୁ ବାହାରୁଛନ୍ତି । ଫଳରେ ଯିବା ଆସିବାରେ ଅସୁବିଧା ହେଉଛି । ଏହାର ସମାଧାନ ଲାଗି ଗତବର୍ଷ ଯୋଜନା ପ୍ରସ୍ତୁତ ହେବା ସହ ନୂତନ ପ୍ରସ୍ଥାନ ପଥ ଲାଗି ଭିତ୍ତିପ୍ରସ୍ତର ପଡ଼ିଥିଲା । ଗୋଟିଏ ବର୍ଷ ମଧ୍ୟରେ ପ୍ରସ୍ଥାନ ପଥ ଚୂଡ଼ାନ୍ତ ରୂପ ନେଇଛି । ଫଳରେ ଏଣିକି ପର୍ଯ୍ୟଟକ ଯେଉଁ ବାଟ ଦେଇ ପ୍ରାଣୀ ଉଦ୍ୟାନ ଭିତରକୁ ପ୍ରବେଶ କରିବେ, ଆଉ ସେହି ବାଟରେ ବାହାରିବେ ନାହିଁ । ସିଧା ମଲ୍ଟି ଲେୟାର ପାର୍କିଂକୁ ଯୋଗାଯୋଗ କରୁଥିବା ନୂଆ ପ୍ରସ୍ଥାନ ପଥରେ ବାହାରକୁ ଆସିବେ । ଫେରିବା ସମୟରେ ପର୍ଯ୍ୟଟକମାନେ ସେମାନଙ୍କ ଅନୁଭୂତି ସମ୍ପର୍କରେ ମତାମତ ଦେଇପାରିବେ । ଦୀର୍ଘ ଦିନ ହେଲା ବନ୍ଦ ରହିଥିବା ସଫାରି ଖୋଲିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ତାହାର ପୂର୍ବ ପ୍ରସ୍ତୁତି ସ୍ବରୂପ ସଫାରୀ ଟିକେଟ୍‌ ଘର ଉଦ୍‌ଘାଟିତ ହେବ । ଏହାବ୍ୟତୀତ ବାଘୁଣୀ ସ୍ନେହାଗର୍ଭରୁ ଜନ୍ମିତ ହୋଇଥିବା ଦୁଇ କଳାବାଘ ଛୁଆଙ୍କ ନାମ ଘୋଷଣା ହେବାର ସମ୍ଭାବନା ରହିଛି ।

ନନ୍ଦନକାନନ ପ୍ରାଣୀ ଉଦ୍ୟାନ ନିର୍ଦେଶକ ଶଶୀ ପାଲଙ୍କ କହିବାନୁଯାୟୀ, ମଲ୍ଟି ଲେୟାର ପାର୍କିଂର ସମସ୍ତ କାର୍ଯ୍ୟ ଶେଷ ହୋଇଛି । ବିଲଡିଂ କାମ ସରିଥିବା ବେଳେ ଏବେ ବାହାର ପରିବେଶର ସୌନ୍ଦର୍ଯ୍ୟୀକରଣ ଚାଲିଛି । ଏହା ସରିବାକୁ ଆହୁରି ମାସେ ସମୟ ଲାଗିଯିବ । ତେଣୁ ପ୍ରତିଷ୍ଠା ଦିବସରେ ଏହାକୁ ଉଦ୍‌ଘାଟନ କରିବା ସମ୍ଭବପର ନୁହେଁ । ଏହି ପାର୍କିଂ ବ୍ୟବସ୍ଥା ହେବା ଦ୍ବାରା ଦୀର୍ଘ ବର୍ଷ ଧରି ଲାଗି ରହିଥିବା ପାର୍କିଂ ସମସ୍ୟା ଦୂର ହେବ । ବାକି ଯେଉଁ କାର୍ଯ୍ୟ ଅଧାପନ୍ତରିଆ ରହିଛି, ତାହାର କାର୍ଯ୍ୟ ଶେଷ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ୨୦୨୧ ସୁଦ୍ଧା ପ୍ରାଣୀ ଉଦ୍ୟାନକୁ ନୂଆ ରୂପ ଦେବାକୁ ଯୋଜନା ଚାଲିଛି । ଉଦ୍‌ଘାଟନୀ ଉତ୍ସବରେ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବ । ପର୍ଯ୍ୟଟକଙ୍କ ସୁରକ୍ଷାକୁ ସବୁବେଳେ ଗୁରୁତ୍ବ ଦିଆଯାଉଥିବା ସେ କହିଛନ୍ତି ।