କନକ ବ୍ୟୁରୋ : ଆଜି ଖେଳାଯିବ ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିନିକିଆ । ସିଡନୀଠାରେ ଏହି ମ୍ୟାଚ ଭାରତୀୟ ସମୟ ସକାଳ ୯ଟା ୧୦ରେ ଅନୁଷ୍ଠିତ ହେବ । ବିଶ୍ୱ କ୍ରିକେଟରେ ଦୁଇ ମହାରଥୀ କୁହାଯାଉଥିବା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏହି ଏକ ରୋମାଂଚକ ମ୍ୟାଚ ହେବ ବୋଲି ପ୍ରଶଂସକ ଆଶା ରଖିଛନ୍ତି । କଙ୍ଗାରୁ ଗଡରେ ସେମାନଙ୍କୁ ମାତ୍ ଦେବା ଟିମ୍ ଇଣ୍ଡିଆ ପାଇଁ ଏକ ବଡ ଚ୍ୟାଲେଂଜ ।
ତେବେ ବିରାଟ ବାହିନୀ ଏହି ସିରିଜରେ ସଫଳତା ହାତେଇବାକୁ ପ୍ରାଣପଣେ ଉଦ୍ୟମ କରିବ । ତିନିଟିକିଆ ଦିନିକିଆ ସିରିଜକୁ ନେଇ ଦୁଇ ଦଳ ବେଶ୍ ଉତ୍ସାହିତ ଅଛନ୍ତି । ଦୀର୍ଘ ୯ ମାସ ପରେ ଭାରତୀୟ କ୍ରିକେଟ ଦଲ କୌଣସି ଆନ୍ତର୍ଜାତୀୟ ପ୍ରତିଯୋଗିତା ଖେଳିବାକୁ ଯାଇଛି । ତେଣୁ ଏହାକୁ ନେଇ ଖେଳାଳି ସମେତ ପ୍ରଶଂସକ ମନରେ ଉକ୍ରଣ୍ଠା ପ୍ରକାଶ ପାଇଛି ।
ଟିମ୍ ଇଣ୍ଡିଆର ହିଟ୍ ମ୍ୟାନ ଭାବେ ପରିଚିତ ଓପନର ରୋହିତ ଶର୍ମାଙ୍କ ବିନା ଅଷ୍ଟ୍ରେଲିଆ ସିରିଜ୍ ଖେଳିବାକୁ ଯାଇଛି ଦଳ । ଭାରତୀୟ ଅଧିନାୟକ ବିରାଟ କୋହଲି ରୋହିତ ଶର୍ମା ବିଷୟରେ ମୁହଁ ଖୋଲିଛନ୍ତି । ରୋହିତଙ୍କ ଆଘାତର ସ୍ଥିତି ନେଇ ତାଙ୍କ ପାଖରେ କୌଣସି ସ୍ପଷ୍ଟ ସୂଚନା ନାହିଁ ବୋଲି ସେ ଏକ ଭର୍ଚ୍ୟୁଆଲ୍ ପ୍ରେସମିଟରେ ସୂଚନା ଦେଇଛନ୍ତି । ଏହା ସହ ସେ କହିଛନ୍ତି ଦଳର ଅନ୍ୟ ସଦସ୍ୟଙ୍କ ସହ ରୋହିତ କାହିଁକି ଅଷ୍ଟ୍ରେଲିଆ ଆସିଲେ ନାହିଁ, ତାହା ସେ ଜାଣନ୍ତି ନାହିଁ । ତେବେ ଚୟନ ସମିତି ବୈଠକରେ ରୋହିତ ଆଘାତ ପ୍ରାପ୍ତ ଅଛନ୍ତି ଏବଂ ଏହି ସିରିଜ୍ରେ ଉପଲବ୍ଧ ହେବେ ନାହିଁ ବୋଲି କୁହାଯାଇଥିଲା ବୋଲି କହିଛନ୍ତି ବିରାଟ । ବିରାଟଙ୍କ ଏହି ସୂଚନା ପରେ କିପରି ଜଣେ ଅଧିନାୟକଙ୍କୁ ନିଜ ଦଳର ଜଣେ ବରିଷ୍ଠ ଖେଳାଳି ନେଇ ଚୟନ କମିଟି ଅନ୍ଧାର ରଖିଛି ବୋଲି ଚର୍ଚ୍ଚା ହେଉଛି ।