ଆଜି ଆଲୋକର ପର୍ବ ଦୀପାବଳି : ବଜାରରେ ବାଣର ଅଭାବ; ଚଢା ଦରରେ ବିକ୍ରି ହେଉଛି ଦୀପ ଓ ତେଲ

150

କନକ ବ୍ୟୁରୋ : ଆଜି ଦୀପାବଳି । ଏଥର ମହଙ୍ଗା ହୋଇଛି ଦୀପାବଳି । ସବୁଜ ବାଣ ଫୁଟାଇବାକୁ ଅନୁମତି ମିଳିଥିଲେ ବି ବଜାରରେ ଏହି ବାଣ ପାଇବା ମୁସକିଲ ହୋଇଯାଇଛି । ରାଜ୍ୟର ପ୍ରାୟ ଅଧିକାଂଶ ବଡ ବାଣ ବଜାର ବନ୍ଦ ରହିଛି । ସବୁଜ ବାଣ ଯଦି ବି କେଉଁଠୁ ମିଳିଗଲା, ତାର ଦର ଅମୂଲମୂଲ ହୋଇଛି । ହାତ ମାରିବା ମୁସକିଲ ହୋଇପଡିଛି । ଅନ୍ୟପଟେ ପାରମ୍ପରିକ ବାଣ ଓ ରାସାୟନିକ ବାଣ ଫୁଟାଇବା ଓ ବିକ୍ରି ଉପରେ କଟକଣା ଯୋଗୁଁ ଦୀପାବଳିରେ ଦୀପ ଓ ଲାଇଟର ଚାହିଦା ବଢ଼ିଛି ।

କିନ୍ତୁ ଦୀପର ଦର ବି ଅଧିକ ରହିଛି । ଦୀପ ୫ଟଙ୍କାରୁ ଶହେ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି । ସେହିପରି ଦୀପ ଜାଳିବା ପାଇଁ ବିକ୍ରି ହେଉଥିବା ତେଲ ଦର ବି ବଢ଼ିଛି । ଦୀପାବଳି ପାଇଁ ଗ୍ରାହକ ଏବେ ଚଢ଼ା ଦରରେ ଘିଅ ଓ ତେଲ କିଣିବାକୁ ବାଧ୍ୟ ହେଉଛନ୍ତି । ଜଡା ତେଲ ଲିଟର ପିଛା ୧୭୦ ଟଂକାରେ ବିକ୍ରି ହେଉଛି । ସେହିପରି ବନସ୍ପତି ଘିଅ ଲିଟର ୬ଶହ ଟଙ୍କା ହୋଇଛି । ସେହିପରି ରଙ୍ଗବେରଙ୍ଗର ଲାଇଟ୍ ହାରର ଦର ମଧ୍ୟ ଉଚା ରହିଛି । ଯାହାକି ସାଧାରଣ ଜନତାଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇଛି ।

ଦୀପାବଳିରେ ଫୁଟିବ ସବୁଜ ବାଣ । କେବଳ ପ୍ରଦୂଷଣ କରୁନଥିବା ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି ହାଇକୋର୍ଟ । ତେବେ ଏହି ସବୁଜ ବାଣ କ’ଣ?

– ଏହି ବାଣ ସାଧାରଣ ବାଣ ପରି କ୍ଷତିକାରକ ନୁହେଁ
– ସବୁଜ ବାଣରେ ପ୍ରଦୂଷଣ ଉପାଦାନ ବହୁତ କମ୍ ମିଶିଥାଏ
– ବାଣ ଫୁଟିବା ସମୟରେ ଧୂଆଁ ସହ ଜଳୀୟବାଷ୍ପ ବାହାରିଥାଏ
– ଏହା ଧୂଳିକଣାକୁ ଉପରକୁ ଉଠିବାକୁ ଦିଏ ନାହିଁ
– ଜଳୀୟବାଷ୍ପ ଧୂଳିକଣାକୁ ଗ୍ରହଣ କରି ତଳକୁ ନେଇଆସେ
– ସାଧାରଣ ବାଣ ଫୁଟିବା ସମୟରେ ପ୍ରାୟ ୧୬୦ ଡେସିବିଲ୍ ଶବ୍ଦ ହୋଇଥାଏ
– ସବୁଜ ବାଣ ମାତ୍ର ୧୧୦ରୁ ୧୨୫ ଡେସିବିଲ ଶବ୍ଦ କରିଥାଏ
– କ୍ଷତିକାରକ ପାର୍ଟିକୁଲେଟ୍ ମେଟର, ନାଇଟ୍ରିକ୍ ଅକ୍ସାଇଡ୍ ଓ ସଲଫର ଅକ୍ସାଇଡ୍ ୩୦-୩୫ ପ୍ରତିଶତ କମ୍ ଥାଏ
– ଆର୍ସେନିକ୍, ଲିଥିୟମ୍, ବେରିୟମ୍ ଭଳି କ୍ଷତିକାରକ ଜିନିଷର ମିଶ୍ରଣ ହୋଇନଥାଏ