ଇତିହାସ ଯେତିକି ପଢିଥିଲେ, ତାହା ଠାରୁ ଅଧିକ ଇତିହାସ ରଚିଥିଲେ । ଶ୍ରାଦ୍ଧ ବାର୍ଷିକୀରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ଝୁରୁଛି ଓଡ଼ିଶା ।

308

କନକ ବ୍ୟୁରୋ: ୧୭ ଏପ୍ରିଲ ୧୯୯୭ । ଆଜିକୁ ଠିକ୍ ୨୫ ବର୍ଷ ତଳେ । ଯେତେବେଳେ ଦିଲ୍ଲୀରୁ ଆସିଥିବା ଏକ ଦୁଃସମ୍ବାଦ ଶୁଣି ପୂରା ଓଡ଼ିଶା ନିସ୍ତବ୍ଧ, ନିର୍ବାକ ଓ ସ୍ଥାଣୁ ପାଲଟିଯାଇଥିଲା । କାରଣ ଦିଲ୍ଲୀରୁ ଆସିଥିବା ଖବରଟିକୁ ବିଶ୍ୱାସ କରିବା ସହଜ ନଥିଲା । ବିଜୁଳି ବେଗରେ ଦିଲ୍ଲୀରୁ ଆସିଥିବା ଖବରଟି ବ୍ୟାପିଯିବା ପରେ ଆଉ କୋହ ସମ୍ଭାଳିପାରିନଥିଲେ ଓଡ଼ିଶାବାସୀ । କୋଟି କୋଟି ଓଡିଆଙ୍କ ଆଖିରୁ ଲୁହ ଝରୁଥିଲା, ଆଉ ଲାଗୁଥିଲା ଯେମିତି ପୂରା ଓଡ଼ିଶା କାନ୍ଦୁଛି । କାରଣ ସବୁଦିନ ପାଇଁ ବୀର ପୁଅକୁ ହରାଇ ସାରିଥିଲା ଓଡ଼ିଶା । ଝଡର ଇଗଲଙ୍କୁ ଶେଷରେ ମୃତ୍ୟୁର ପଞ୍ଝା କବଳିତ କରି ନେଇଥିଲା । ଚିରନିଦ୍ରାରେ ଶୋଇ ଯାଇଥିଲେ ବୀର କଳିଙ୍ଗ ପୁଅ ବିଜୁ ପଟ୍ଟନାୟକ । କଳିଙ୍ଗର ମୁକୁଟବିହୀନ ଶେଷ ସମ୍ରାଟଙ୍କୁ ଛୁଇଁ ସାରିଥିଲା ମୃତ୍ୟୁ । କେହି ବିଶ୍ୱାସ କରିବା ଆଗରୁ ହିଁ ବିଜୁ ସାଜି ସାରିଥିଲେ ଅଫେରା ରାଇଜର ଅତିଥି । ଆଉ ଏହାସହ ସମ୍ଭାବନାର ସୂର୍ଯ୍ୟ ଅସ୍ତଗାମୀ ହେଉଥିବା ବେଳେ ଆଶାର ଆଲୋକ ଧୀରେ ଧୀରେ ଲିଭି ଆସୁଥିଲା । ଏହି କଠୋର ସତ୍ୟକୁ ଗ୍ରହଣ କରିବା ରାଜ୍ୟବାସୀଙ୍କ ପାଇଁ ସହଜ ନଥିଲା । ଦିଲ୍ଲୀରୁ ଆସିଥିବା ଏହି ଖବର ଯେତେବେଳେ ଓଡ଼ିଶାର ଗାଁରେ ଗାଁରେ ପହଞ୍ଚିଲା ତାହା ପରର ଦୃଶ୍ୟ ଥିଲା ଅବିଶ୍ୱସନୀୟ ଓ ଅକଳ୍ପନୀୟ ।

କଟକରୁ କୋରାପୁଟ, ପୁରୀରୁ ପଟ୍ଟାମୁଣ୍ଡାଇ । ଓଡ଼ିଶାର ସବୁ ଜିଲ୍ଲାରୁ ବାହାରିଥିବା ଅଧିକାଂଶ ଲୋକଙ୍କର ଗନ୍ତବ୍ୟସ୍ଥଳ ଥିଲା ଭୁବନେଶ୍ୱର । ରାସ୍ତା ଉପରେ ଥିଲା ଲମ୍ବା ଲାଇନ । ଘଣ୍ଟା ଘଣ୍ଟାର ଅପେକ୍ଷା । ତଥାପି କାହା ଭିତରେ ବିରକ୍ତି ଭାବ ଦେଖିବାକୁ ମିଳିନଥିଲା । କାରଣ ବୀର ପୁଅକୁ ହରାଇ ବିରହରେ ଭାଙ୍ଗି ପଡିଥିଲା ଓଡ଼ିଶା । ଗୋଟିଏ ପଟେ ଜଳ ସମୁଦ୍ର ଏବଂ ଅନ୍ୟପଟେ ଜନସମୁଦ୍ର । ଗୋଟିଏ ପଟେ ସୁ ସୁ ଗର୍ଜନ କରି କୂଳ ଆଡକୁ ମାଡି ଆସୁଥିଲା ସମୁଦ୍ରର ଢେଉ ଆଉ ଅନପ୍ୟଟେ ରାସ୍ତା ଉପରେ ଲହଡି ଭାଙ୍ଗୁଥିଲା ଜନସମୁଦ୍ରର ଢେଉ । ରଥଯାତ୍ରା ପରେ ଏଭଳି ଜନସମୁଦ୍ରର କେବେ ସାକ୍ଷୀ ସାଜିନଥିଲା ଓଡ଼ିଶା । ଲକ୍ଷ ଲକ୍ଷ ବିଜୁ ପ୍ରେମୀଙ୍କ ମୁହଁରେ ସ୍ପଷ୍ଟ ବାରି ହୋଇ ପଡୁଥିଲା ନିଜ ପ୍ରିୟ ନେତାଙ୍କୁ ହରାଇବାର ଦାରୁଣ ଦୁଃଖ । ସମର୍ଥକଙ୍କ ମନ ଭିତରେ ଯେଉଁ ଶୂନ୍ୟତା ଖେଳି ଯାଇଥିଲା ତାହାକୁ ପୂରା କରିବା ଆଉ ସମ୍ଭବ ନଥିଲା ।

ଏସବୁ ଭିତରେ ମହାନାୟକଙ୍କ ମରଶରୀରକୁ ଯେତେବେଳେ ବିମାନବନ୍ଦରରୁ ନବୀନ ନିବାସ ଅଣାଗଲା ସେତେବେଳେ ଲକ୍ଷ ଲକ୍ଷ ବିଜୁ ପ୍ରେମୀଙ୍କ ମୁହଁରେ ଥିଲା ଗୋଟିଏ ନାରା । ବୀର ବିଜୁ ବାବୁ ଅମର ରହେ, କଳିଙ୍ଗ ବୀର ଅମର ରହେ । ଏହା କେବଳ ନାରା ନଥିଲା ବରଂ ସାହସୀ ପୁଅ ବିଜୁ ବାବୁଙ୍କ ପ୍ରତି ଲକ୍ଷ ଲକ୍ଷ ଲୋକଙ୍କର ଭଲପାଇବାର ପ୍ରତିଧ୍ୱନି ଥିଲା । ଆଉ ଏହି ନାରାରେ ପ୍ରକମ୍ପିତ ହେଉଥିଲା ଗଗନ ପବନ । ଲକ୍ଷ ଲକ୍ଷ ଲୋକ ନବୀନ ନିବାସ ସାମ୍ନାରେ ସମବେତ ହୋଇଥିଲେ । ବିଜୁଙ୍କ ସମର୍ଥକ, ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଓ ବିରୋଧୀ, ସମସ୍ତେ ଏହି ଜନସମୁଦ୍ର ଭିତରେ ଏକାକାର ହୋଇ ଯାଇଥିଲେ । ଶତାବ୍ଦୀର ଶ୍ରେଷ୍ଠ ପୁରୁଷଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବାକୁ ଏମିତି ଥିଲା ଭିଡ଼ । ଆଉ ଏହି ଭିଡ଼କୁ ଦ୍ୱିଗୁଣିତ କରିଥିଲା ବିଜୁଙ୍କୁ ବିନା ସ୍ୱାର୍ଥରେ ଭଲପାଉଥିବା କୋଟି କୋଟି ଓଡ଼ିଆଙ୍କ ଉପସ୍ଥିତି । ଆଉ ସେତେବେଳର ଏହି ଦୃଶ୍ୟ ଥିଲା ବେଶ ଭାବବିହ୍ୱଳ ।

ଦିନ ଗଡୁଥିଲା, ପାରା ଚଢୁଥିଲା, ଆଉ ତା ସାଙ୍ଗକୁ ଭିଡ଼ ବଢୁଥିଲା । ଆଉ ଏହାରି ଭିତରେ ନବୀନ ନିବାସରୁ ସୁସଜ୍ଜିତ ଗାଡିରେ ସ୍ୱର୍ଗଦ୍ୱାର ଅଭିମୁଖେ ବାହାରିଥିଲା କଳିଙ୍ଗ ବୀର ବିଜୁ ପଟ୍ଟନାୟକଙ୍କ ପାର୍ଥିବ ଶରୀର । କିନ୍ତୁ ଗାଡି ଆଗକୁ ଗଡିବା ସମ୍ଭବପର ହେଉନଥିଲା । କାରଣ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଅପେକ୍ଷା କରିରହିଥିଲେ ଲକ୍ଷାଧିକ ଲୋକ, କେତେବେଳେ ଶେଷଥର ପାଇଁ ଦେଖିବେ ନିଜ ପ୍ରିୟ ବିଜୁ ବାବୁଙ୍କୁ । ବୈଶାଖର ପ୍ରଚଣ୍ଡ ତାତି ସତ୍ତେ୍ୱ ମଧ୍ୟ ହେତୁ ପାଇଥିବା କୁନି ବାଳକ ଠାରୁ ଆରମ୍ଭ କରି ବୟସର ଅପରାହ୍ନରେ ପହଞ୍ଚିଥିବା ବୃଦ୍ଧ ବୃଦ୍ଧା ଏହି ଭିଡ଼ ଭିତରେ ନିଜକୁ ହଜାଇ ଦେଇଥିଲେ । ଆଉ ରାସ୍ତାରେ ଲକ୍ଷାଧିକ ଲୋକଙ୍କ ଲୁହଭିଜା ଆଖି ଦର୍ଶାଉଥିଲା ଓଡ଼ିଶା କେତେ ବଡ ରତ୍ନକୁ ହରାଇଛି? ସକାଳରୁ ଅପରାହ୍ନ ହେଲା, ଆଉ ଜନ ସମୁଦ୍ରର ଲହଡି ପାର କରି ସ୍ୱର୍ଗଦ୍ୱାରରେ ପହଞ୍ଚିଲା ମହାନାୟକଙ୍କ ମରଶରୀର । ଆଉ ଏହି ବୀର ପୁଅଙ୍କ ଶେଷ ଦର୍ଶନ ପାଇଁ ଏକାଠି ହୋଇଥିଲେ ଦେଶ ଓ ବିଦେଶର ନେତା । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଦେଶ ରାଷ୍ଟ୍ରଦୂତ, ବିରୋଧୀଙ୍କ ଠାରୁ ସମର୍ଥକ ।

ମହାନାୟକଙ୍କ ମହାଯାତ୍ରା ସମସ୍ତଙ୍କୁ ସ୍ତମ୍ଭୀଭୂତ କରିଦେଇଥିଲା । କାରଣ ଜଣେ ନେତାଙ୍କ ବିୟୋଗରେ ଜନତାଙ୍କ ଏଭଳି ଜନସମୁଦ୍ର ପୂର୍ବରୁ କେବେ ଦେଖିନଥିଲା ଓଡ଼ିଶା । ଚିତା ଉପରେ ଚିରନିଦ୍ରାରେ ଶୋଇ ରହିଥିଲେ ଟଲମ୍ୟାନ୍, ଆଉ ତାଙ୍କ ମରଶରୀର ଉପରେ ଢାଙ୍କି ହୋଇ ରହିଥିଲା ୩ ଦେଶର ରାଷ୍ଟ୍ରୀୟ ଧ୍ୱଜ । ସ୍ୱର୍ଗଦ୍ୱାରରେ ଚିତା ଜଳିବା ସହ ପଞ୍ଚଭୂତରେ ଲୀନ ହୋଇଥିଲା ବୀର ପୁଅ ବିଜୁଙ୍କ ମରଶରୀର । ଆଉ ସ୍ୱର୍ଗଦ୍ୱାର ଶ୍ମଶାନରେ ଯେଉଁ ଚିତା ଜଳିଥିଲା ତାହା ଥିଲା ଅନେକ ସ୍ୱପ୍ନ, ଅନେକ ସମ୍ଭାବନା ଓ ଅନେକ ଆଶାର ଚିତା । ଏହାସହ ଏହି ଚିତାରୁ ବାହାରିଥିବା ଆକାଶଛୁଆଁ ଓ ଦୁଃସାହସିକ ବ୍ୟକ୍ତିତ୍ୱର ଧୂଆଁ ପୂରା ଉକ୍ରଳ ଆକାଶକୁ ଆଚ୍ଛାଦିତ କରି ରଖିଥିଲା । ଆଉ ଚିତା ଜଳିବା ପରେ ଯେଉଁ ଅବଶେଷ ରହିଥିଲା ତାହା ଥିଲା କଳିଙ୍ଗ ବୀରପୁତ୍ର ବିଜୁ ପଟ୍ଟନାୟକଙ୍କ ସ୍ୱର୍ଣ୍ଣିମ ଇତିହାସର ଚିରନ୍ତନ ମୁକସାକ୍ଷୀ । ତେବେ ବିଜୁଙ୍କ ପ୍ରତି କୋଟି କୋଟି ଓଡ଼ିଆଙ୍କ ଏତେ ଭଲପାଇବା କାହିଁକି? କାହିଁକି ବିଜୁଙ୍କୁ କଳିଙ୍ଗର ମୁକୁଟ ବିହୀନ ସମ୍ରାଟ ବାଛିଥିଲେ ରାଇଜବାସୀ? କାହିଁକି ବିଜୁଙ୍କ ମୃତ୍ୟୁରେ କାନ୍ଦିଥିଲା ପୂରା ଓଡ଼ିଶା? ଏହି କାହିଁକି ଉତ୍ତର ଖୋଜିବାକୁ ହେଲେ ବିଜୁଙ୍କ ରାଜନୈତିକ ଇତିହାସକୁ ଓଲଟାଇବାକୁ ପଡିବ ।

ବିଜୁ ପଟ୍ଟନାୟକ । ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ, ଥରେ କେନ୍ଦ୍ରମନ୍ତ୍ରୀ । କେତେବେଳେ ବିରୋଧୀ ଦଳ ନେତା ତ ପୁଣି କେତେବେଳେ ସଂସଦରେ ରାଜ୍ୟର ପ୍ରତିନିଧି । କେବେ କେନ୍ଦ୍ରରେ ତ ପୁଣି କେବେ ରାଜ୍ୟରେ, ରାଜନୀତିର କ୍ରାଇସିସ୍ ମ୍ୟାନେଜର । ୫ ଦଶନ୍ଧିର ରାଜନୈତିକ କ୍ୟାରିୟର ଆଉ ତାହାରି ଭିତରେ ଜାତୀୟ ରାଜନୀତିର ଜଣେ ଜଣାଶୁଣା ଚେହେରା । ପଲ୍ଲୀରୁ ଦିଲ୍ଲୀ, ଦେଶରୁ ବିଦେଶ । ଆକାଶଛୁଆଁ ବ୍ୟକ୍ତିତ୍ୱ ସାଙ୍ଗକୁ ସମ୍ଭାବନାର ସମ୍ଭାର । କିଛି ଏମିତି ଥିଲା ବିଜୁଙ୍କ ରାଜନୈତିକ କ୍ୟାରିୟର । କ୍ଷମତା ରାଜନୀତିରେ ଖୁବ କମ ସମୟ ରହିଥିବା ବିଜୁ କିନ୍ତୁ ଏହି ସମୟ ଭିତରେ ଆଧୁନିକ ଓଡ଼ିଶାର ବିନ୍ଧାଣୀ ସାଜି ସାରିଥିଲେ । ଶିଳ୍ପ ଠାରୁ ଆରମ୍ଭ କରି ଶିକ୍ଷା, କୃଷି ଠାରୁ ଆରମ୍ଭ କରି କଳ କାରଖାନା । ପ୍ରତିଟି କ୍ଷେତ୍ରରେ ବିଜୁଙ୍କ ଅବଦାନ ଅତୁଳନୀୟ ।

ରାଜ୍ୟରେ ନାଲକୋକୁ ଜନ୍ମ ଦେବା ହେଉ ବା ପାରାଦ୍ୱୀପରୁ ବନ୍ଦର ମାଧ୍ୟମରେ ପୂରା ବିଶ୍ୱ ସହ ଯୋଡି ହେବାର ପ୍ରୟାସ । ଅନେକ ବାଧା ବିଘ୍ନ ଆସିଥିଲା, ଅନେକ ବିବାଦ ମଧ୍ୟ ଛିଡା ହୋଇଥିଲା । କିନ୍ତୁ ରାଜ୍ୟର ବିକାଶ ପାଇଁ ସେମିତି ଦମ୍ଭର ସହ ଛିଡା ହୋଇଥିଲେ ଟଲମ୍ୟାନ ବିଜୁ । ଦିଲ୍ଲୀ ଦରବାରରେ ସଙ୍କଟମୋଚକ ଭାବେ ପରିଚିତ ଥିବା ବିଜୁ ଓଡ଼ିଶାର ସ୍ୱାର୍ଥ ପାଇଁ କେବେ ବି ପଛଘୁଞ୍ଚା ଦେଇନଥିଲେ । ବିକଶିତ ଓଡ଼ିଶା ପାଇଁ ସଂସଦରୁ ସଡକ ଯାଏଁ ଲଢେଇ କରିଥିଲେ ବିଜୁ । କ୍ଷମତା ନୁହେଁ ଯାହାଙ୍କ ପାଇଁ ଜନତାଙ୍କ ସ୍ୱାର୍ଥ ଥିଲା ସର୍ବୋପରି । ଶାସନର ସିଂହାସନ ଓ କ୍ଷମତାର ମୋହରେ ବିଜୁ ବାନ୍ଧି ହୋଇନଥିଲେ । ସେଥିପାଇଁ ତ ଅନେକଥର କିଙ୍ଗମେକର ସାଜି ସ୍ଥିର ସରକାର ଗଢିବାରେ ସହଯୋଗ କରିଥିଲେ ବିଜୁ । ଯାହା ବିଜୁଙ୍କ ଲୋକପ୍ରିୟତାକୁ ଆକାଶଛୁଆଁ କରିବା ସହ ଦେଇଥିଲା ଜନନାୟକର ପରିଚୟ ।

ରାଜନୀତିରେ ସଫଳତାର ଶୀର୍ଷରେ ପହଞ୍ଚିଥିବା ବିଜୁଙ୍କ ପ୍ରତି ରାଜ୍ୟବାସୀଙ୍କ ଭଲପାଇବା କିଛି କମ ନଥିଲା । ଯେଉଁଥିପାଇଁ ଖୁବ୍ କମ ସମୟ ଶାସନ ସିଂହାସନରେ ବସିଥିଲେ ମଧ୍ୟ ଜନତାଙ୍କ ହୃଦୟ ସିଂହାସନରେ ସବୁଦିନ ପାଇଁ ବସି ସାରିଥିଲେ ବିଜୁ ବାବୁ । ଇତିହାସ ଯେତିକି ପଢିଥିଲେ ନିଜ ଜୀବନକାଳ ଭିତରେ ତାହା ଠାରୁ ଅଧିକ ଇତିହାସ ରଚି ସାରିଥିଲେ ବିଜୁ । ଦେଶର ସ୍ୱାଧୀନତା ସଂଗ୍ରାମରେ ବିଜୁଙ୍କ ଅବଦାନ, ଇଣ୍ଡୋନେସିଆ ସ୍ୱାଧୀନତାରେ ବିଜୁଙ୍କ ଭୂମିକା ଆଉ ତା ସାଙ୍ଗକୁ ଯୁଦ୍ଧ ଭଳି ସ୍ଥିତିରେ ଦେଶ ପାଇଁ ସଙ୍କଟମୋଚକ ଭାବେ ଛିଡା ହୋଇ ସାହାସୀ ସିପାହୀର ପରିଚୟ ଦେଇଥିଲେ ପରାକ୍ରମୀ ପାଇଲଟ ବିଜୁ ପଟ୍ଟନାୟକ ।ଆକାଶପଥରେ ଅସମ୍ଭବ ଅପରେସନକୁ ସମ୍ଭବ କରି ବିଜୁ ପାଲଟିଯାଇଥିଲେ ଝଡର ଇଗଲ । ଯେଉଁଥିପାଇଁ ବିଦେଶରେ ମଧ୍ୟ ଶୁଭୁଥିଲା ବିଜୁଙ୍କ ଜୟ ଜୟକାର । ଇଣ୍ଡୋନେସିଆରୁ ମିଳିଥିଲା ଭୂମିପୂତ୍ର ଭଳି ସର୍ବୋଚ୍ଚ ସମ୍ମାନ । ଏହି ଦୁଃସାହସିକ ଦସ୍ତାବିଜର ଉଚ୍ଚତା ଟଲ ମ୍ୟାନଙ୍କ ଉଚ୍ଚତା ଠାରୁ ମଧ୍ୟ ଢେର ଅଧିକ ଥିଲା । ଆକାଶକୁ ସବୁବେଳେ ଛୁଇଁବାକୁ ଚେଷ୍ଟା କରୁଥିବା ବିଜୁ ଶେଷ ପର୍ୟ୍ୟନ୍ତ ଓଡ଼ିଶାର ବିକାଶକୁ ମଧ୍ୟ ଆକାଶଛୁଆଁ କରିବାକୁ ପ୍ରୟାସ ଜାରି ରଖିଥିଲେ । କିଛି ପୂରା କରିଥିଲେ ଆଉ କିଛି ବାକି ଥିଲା । କିନ୍ତୁ ସବୁ ସ୍ୱପ୍ନ ପୂରା କରିବା ପୂର୍ବରୁ ସବୁଦିନ ପାଇଁ ଶୋଇ ପଡିଥିଲେ ଶତାବ୍ଦୀର ଶ୍ରେଷ୍ଠ ପୁରୁଷ ।