କନକ ବ୍ୟୁରୋ: ସକଳ ଭକ୍ତଙ୍କୁ ଦର୍ଶନ ଦେବାକୁ ରାତ୍ନବେଦୀରୁ ଓହ୍ଲାଇ ବାହାରକୁ ଆସିବେ ଭାଇ ଭଉଣୀ ଓ ଆୟୁଧ ସୁଦର୍ଶନଙ୍କ ସହ ମହାପ୍ରଭୁ ଶ୍ରୀ ଜଗନ୍ନାଥ । କୃତାର୍ଥ ହେବ ପ୍ରତିଟି ଚର୍ମଚକ୍ଷୁ । ସେଥିପାଇଁ ତଆଜିର ଏ ଘୋଷ ଯାତ୍ରା । ଯାତ୍ରାରେ ବାହି ନେବାକୁ ମହାବାହୁଙ୍କ ବାଟ ଚାହିଁ ରହିଛନ୍ତି ୩ ରଥ । କେତେବେଳେ ମହାବାହୁ ଆସିବେ ତାଙ୍କୁ ପୂର୍ଣ୍ଣ କରିଦେବେ ।

Advertisment

ମାନବୀୟ ଲୀଳା ଖେଳିବେ ମହାବାହୁ। ଭାଇଭଉଣୀଙ୍କ ସହ ଜନ୍ମବେଦୀକୁ କରିବେ ନବଦିନାତ୍ମକ ଯାତ୍ରା। ପତିତଜନଙ୍କୁ ଉଦ୍ଧାରିବା ପାଇଁ ରତ୍ନବେଦୀ ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ବିଶ୍ୱନିୟନ୍ତା। ରଥାରୂଢ଼ ହୋଇ ଆଶୀର୍ବାଦର ବର୍ଷା କରିବେ ଭାବବିନୋଦିଆ କଳାଠାକୁର। ପୁଣିଥରେ ବର୍ଷକ ପରେ ବଡ଼ଦାଣ୍ଡରେ ଭକ୍ତ-ଭଗବାନଙ୍କର ହେବ ଅପୂର୍ବ ମିଳନ। ଏଥିପାଇଁ ଠାକୁରଙ୍କ ଆସିବା ବାଟକୁ ଅନାଇ ରହିଛନ୍ତି ଅଗଣିତ ଭକ୍ତ। ସ୍ବାଗତ ପାଇଁ ପ୍ରସ୍ତୁତ ହୋଇ ସାରିଛନ୍ତି ରଥ-ପଥ-ଭକ୍ତ। ଆଜିଠୁ ବଡ଼ଦାଣ୍ଡ ଲୋକାରଣ୍ୟ ହୋଇଛି। ଅପରପକ୍ଷେ ୫୩ ବର୍ଷ ପରେ ଚଳିତ ବର୍ଷ ବିରଳ ରଥଯାତ୍ରା ଦେଖିବାକୁ ଯାଉଛନ୍ତି ଭକ୍ତ। ୧୫ ଦିନ ଅଣସର ବଦଳରେ ୧୩ ଦିନ ଅଣସର ନୀତି ଥିବାରୁ ଗୋଟିଏ ଦିନରେ ଅନୁଷ୍ଠିତ ହେବ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା। ଦୁଇଦିନ ଧରି ଭକ୍ତ ଦେଖିବେ ରଥଯାତ୍ରା।

ଅପରାହ୍ୱ ୧ଟାରେ ତିନି ଠାକୁରଙ୍କ ପହଣ୍ଡି ଆରମ୍ଭ ହେବ। ପହଣ୍ଡି ଶେଷ ପରେ ଗଜପତି ମହାରାଜାଙ୍କ ଛେରାପହଁରା ନୀତି ସମ୍ପନ୍ନ ହେବ। ପରେ ଅପରାହ୍ଣ ୫ଟାରେ ରଥଟଣା ଆରମ୍ଭ ହେବ। ନୀତିକାନ୍ତି ଅଧିକ କାରଣରୁ ସମୟର ଘୋର ଅଭାବ ରହିଛି। ସେ ଦୃଷ୍ଟିରୁ ରବିବାର କେବଳ ପ୍ରତୀକାତ୍ମକ ଭାବେ ରଥଟଣା ହେବ। ପରଦିନ ଅର୍ଥାତ୍‌ ସୋମବାର ଜୁଲାଇ ୮ ତାରିଖରେ ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ସମୟ ଅଭାବ କାରଣରୁ ଶ୍ରୀଗୁଣ୍ଡିଚା ଯାତ୍ରା ନୀତିକାନ୍ତି ଆଜି ବିଳମ୍ବିତ ରାତିରୁ ଆରମ୍ଭ ହୋଇଛି।