କନକ ବ୍ୟୁରୋ: ଆଜି ମହାପ୍ରଭୁଙ୍କ ପତିତପାବନ ଯାତ୍ରାର ଶେଷ ଦିନ। ନୀଳାଦ୍ରିବିଜେରେ ନୀଳକନ୍ଦରକୁ ବାହୁଡ଼ି ଯିବେ ନୀଳମଣି । ଏହି ଦିନ ଗୋଟି ପହଣ୍ଡିରେ ରଥରୁ ଓହ୍ଲାଇ ବଡ଼ ଦେଉଳକୁ ବିଜେ କରନ୍ତି ଚତୁର୍ଦ୍ଧାବିଗ୍ରହ । ରଥଯାତ୍ରାର ଏହି ଶେଷ ପର୍ବରେ ସମସ୍ତ ନୀତିକାନ୍ତି ଶୃଙ୍ଖଳିତ କରିବା ଦିଗରେ ଗୁରୁତ୍ୱ ଦେବା ସହ ଏନେଇ ସେବାୟତଙ୍କ ସହ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ପୂର୍ବ ବର୍ଷ ଭଳି ନିର୍ଦ୍ଧାରିତ ସମୟ ପର୍ବରୁ ମହାପ୍ରଭୁଙ୍କ ପହଣ୍ଡି କରିବାକୁ ପଦକ୍ଷେପ ନିଆଯାଇଛି । ଏନେଇ ଦଇତାପତି ନିଯୋଗ ମଧ୍ୟ ସହମତି ପ୍ରକାଶ କରିଛନ୍ତି ।

Advertisment

ସନ୍ଧ୍ୟା ଧୂପରେ ଚାଳରମାଳ ବାନ୍ଧାଯିବା ପରେ ପହଣ୍ଡି ଆରମ୍ଭ ହେବ । ଦିନ ୩ଟା ୫୦ରେ ପୁଷ୍ପାଞ୍ଜଳି ପରେ ୪ଟାରେ ପହଣ୍ଡି ଆରମ୍ଭ ହେବ । ରାତି ୧୦ଟା ସୁଦ୍ଧା ପହଣ୍ଡି ଶେଷ କରିବାକୁ ସମୟ ନିର୍ଦ୍ଧାରଣ କରାଯାଇଛି । ତେବେ ଘୋଷଯାତ୍ରାର ଏହି ଅନ୍ତିମ ପର୍ବ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ । ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ନିକଟରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି ।

ଆଜି ନୀଳାଦ୍ରିବିଜେ । ଏହି ପର୍ବରେ ରସଗୋଲାର ରହିଛି ସ୍ବତନ୍ତ୍ର ମହତ୍ବ । ଆଜି ମାଆ ଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନ ଭଞ୍ଜନ କରିବେ ମହାପ୍ରଭୁ । ସିଂହଦ୍ବାରରେ ହେବ ଏହି ସ୍ବତନ୍ତ୍ର ନୀତି । ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ଶ୍ରୀମନ୍ଦିରରେ ଏକା ଛାଡ଼ି ଭାଇ ଭଉଣୀଙ୍କ ସହ ନବଦିନାତ୍ମକ ଯାତ୍ରାରେ ଯାଇଥିବାରୁ କାଳିଆ ସାଆନ୍ତଙ୍କ ଉପରେ ଅଭିମାନ କରିଛନ୍ତି ମହାଲକ୍ଷ୍ମୀ । ଆଉ ମାଆ କମଳାଙ୍କୁ ମନାଇବାକୁ ଏହି ରସଗୋଲା ପରମ୍ପରା କାହିଁ କେଉଁ କାଳରୁ ଚାଲି ଆସୁଛି । ମାଦଳା ପାଞ୍ଜିରେ ମଧ୍ୟ ଆଜି ଗୋଟିଏ ଦିନ ମହାପ୍ରଭୁଙ୍କଠାରେ ରସଗୋଲା ଭୋଗ ସମ୍ପର୍କରେ ଉଲ୍ଲେଖ ରହିଛି । ଏହିପାଇଁ ଆଜି ଓଡ଼ିଶା ପାଳୁଛି ରସଗୋଲା ଦିବସ । ଏଥିପାଇଁ ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର କାର୍ୟ୍ୟକ୍ରମ ରହିଛି । ଘରେ ଘରେ ମଧ୍ୟ ଲୋକେ ରସଗୋଲା ପ୍ରସ୍ତୁତ କରିବା ସହ ଦୋକାନରୁ କିଣି ଠାକୁରଙ୍କ ନିକଟରେ ଭୋଗ କରିଥାନ୍ତି । ଏହି ପରମ୍ପରା ବହୁ କାଳରୁ ଜଗନ୍ନାଥ ସଂସ୍କୃତିରେ ପରିଚାଳିତ ହୋଇଆସୁଛି ।