ପଞ୍ଚୁକ ବ୍ରତ ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର । ଆଜି ଲକ୍ଷ୍ମୀନୃସିଂହ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

124

କନକ ବ୍ୟୁରୋ: ପଞ୍ଚୁକ ବ୍ରତ ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର । ବଡଦାଣ୍ଡରେ ଲାଗିଛି ହଜାର ହଜାର ଭକ୍ତଙ୍କ ଗହଳି ଚହଳି । ଆଜି ବୈକୁଣ୍ଠ ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ ।

କଳା ଠାକୁରଙ୍କ ଲକ୍ଷ୍ମୀନୃସିଂହ ବେଶ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ ଜମିଛି । ଏହି ଚିତାକର୍ଷକ ବେଶରେ ମହାପ୍ରଭୁ ମହଣ ମହଣ ସ୍ୱର୍ଣ୍ଣାଳଙ୍କାରରେ ବିଭୂଷିତ ହୋଇଛନ୍ତି । ଶ୍ରୀଜଗନ୍ନାଥ ମହାପ୍ରଭୁ ଶଙ୍ଖ, ଚକ୍ର ଓ ଶ୍ରୀବଳଭଦ୍ର ହଳ ମୂଷଳ ଧାରଣ କରି ଦର୍ଶନ ଦେଉଛନ୍ତିି । ଠାକୁରଙ୍କୁ ଲକ୍ଷ୍ମୀନୃସିଂହ ବେଶରେ ଦେଖିବାକୁ ଦୂରଦୂରାନ୍ତରୁ ଭକ୍ତ ଆସିଛନ୍ତି । ଦିନକ ପରେ ପଂଚକ ପୂର୍ଣ୍ଣିମା ରହିଛି । ପଂଚକ ପୂର୍ଣ୍ଣିମାରେ ରାଜାଧିରାଜ ବା ସୁନାବେଶରେ ଦର୍ଶନ ଦେବେ ଠାକୁର । ତେଣୁ ଦିନକ ଆଗରୁ ପୁରୀରେ ଭକ୍ତ ଭିଡ ଜମିବାରେ ଲାଗିଛି । ଏହାଛଡା ଆଜି ଛୁଟିଦିନ ରବିବାର ଥିବାରୁ ହଜାର ହଜାର ଭକ୍ତଙ୍କ ସମାଗମ ହେବ । ଅନ୍ୟପଟେ ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ସହ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।