କନକ ବ୍ୟୁରୋ: ସୁସ୍ଥ ଜୀବନ ପାଇଁ ଦରକାର ଯୋଗ । କେବଳ ଶରୀର ନୁହେଁ, ମାନସିକ ଶାନ୍ତି ଓ ଏକାଗ୍ରତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ସାରା ବିଶ୍ୱରେ ଯୋଗ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଆଜିର ଦିନକୁ ଅର୍ଥାତ୍ ଜୁନ୍ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥାଏ । ସୁସ୍ଥ ଓ ଆରୋଗ୍ୟ ରହିବା ପାଇଁ ନିୟମିତ ଯୋଗ ଜରୁରୀ । ଆଜି କେବଳ ଦେଶ ନୁହେଁ, ସମଗ୍ର ବିଶ୍ୱରେ ଯୋଗ ଦିବସ ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଏହି ଦିନର ଶୁଭାରମ୍ଭ ହୋଇଥିଲା, ଯାହା ଏବେ ୧୦ ବର୍ଷରେ ପହଂଚିଛି । ଏହି ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀନଗରର ଶେର-ଏ-କଶ୍ମୀର ଇଂଟରନ୍ୟାସନାଲ କନଭେନସନ୍ ସେଣ୍ଟରରେ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ । ଯୋଗ ଦିବସ ସକାଳ ୬ଟା ୪୦ ବେଳେ ଦେଶ ଓ ଦୁନିଆକୁ ବାର୍ତା ଦେବେ ପ୍ରଧାନମନ୍ତ୍ରୀ । ପାଖାପାଖି ୨୦ ମିନିଟର ଅଭିଭାଷଣ ପରେ ସାମୂହିକ ଯୋଗ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପାଖାପାଖି ୭ହଜାର ଲୋକ ସାମିଲ ହୋଇଛନ୍ତି । ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସର ଥିମ ‘ସ୍ୱୟଂ ଓ ସମାଜ ପାଇଁ ଯୋଗ’ ରଖାଯାଇଛି ।

Advertisment

ସେହିପରି ଓଡ଼ିଶାରେ ମଧ୍ୟ ଆଜି ଅନ୍ତର୍ଜାତୀୟ ଯୋଗ ଦିବସର ଆୟୋଜନ ହେବ । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ତାଙ୍କ ସହ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉପସ୍ଥିତ ରହିବେ । ସେହିପରି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ନୟାପଲ୍ଲୀର କସ୍ତରୁବା ସ୍କୁଲ ଫିଲ୍ଡ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ପୁରୀ ସାଂସଦ ସମ୍ବିତ ପାତ୍ର କୋଣାର୍କରେ ହେବାକୁ ଥିବା ଉତ୍ସବରେ ସାମିଲ ହେବେ । ଏହାସହ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ ଓ ସାଂସଦ ଏବଂ ବିଧାୟକ ମାନେ ମଧ୍ୟ ଯୋଗ ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।