ଅନ୍ତର୍ଜାତୀୟ ଚା’ ଦିବସ । ଜାଣନ୍ତୁ ଦିବସର ବିଶେଷତ୍ୱ

187

କନକ ବ୍ୟୁରୋ: ବିଶ୍ୱର ସବୁଠାରୁ ଲୋକପ୍ରିୟ ପାନୀୟ ହୋଉଛି ଚା’ । ଅଧିକାଂଶ ଲୋକଙ୍କର ସକାଳ, କପେ ଚା’ରୁ ହିଁ ଆରମ୍ଭ ହୁଏ । ଚା’ର ଲୋକପ୍ରିୟତା ବଢିବା ଦେଖି ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଙ୍ଗଠନ ହିଁ ପ୍ରଥମେ ‘ଅନ୍ତର୍ଜାତୀୟ ଚା’ ଦିନସ’ପାଳନର ନିଷ୍ପତ୍ତି ନେଇଥିଲା । ୨୦୦୫ରେ ଡିସେମ୍ବର ୧୫ ତାରିଖରେ ପ୍ରଥମ ଥର ପାଇଁ ‘ଅନ୍ତର୍ଜାତୀୟ ଚା’ ଦିବସ’ପାଳନ କରାଯାଇଥିଲା । କିନ୍ତୁ ମେ’ ୨୧କୁ ‘ଅନ୍ତର୍ଜାତୀୟ ଚା’ ଦିବସ’ ଭାବେ ପାଳନ କରାଯାଉ ବୋଲି ଭାରତ ଜାତିସଂଘରେ ପ୍ରସ୍ତାବ ରଖିଥିଲା ।

୨୦୧୯ ମସିହାରୁ ଏହାକୁ ମେ’ ୨୧ ତାରିଖରେ ପାଳନ କରିବା ପାଇଁ ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଙ୍ଗଠନର ସମ୍ମିଳନୀରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । କାରଣ ମେ’ ମାସରେ ବିଶ୍ୱର ଅଧିକାଂଶ ଦେଶରେ ଚା’ ଅମଳ କରାଯାଏ । ଭାରତ ସମେତ ଶ୍ରୀଲଙ୍କା, ଚୀନ୍ ଜାପାନ୍, ଇଣ୍ଡୋନେସିଆ , ନେପାଳ ,ବାଂଲାଦେଶ ପ୍ରମୁଖ ଦେଶ କୋଟି କୋଟି ଟଙ୍କାର ଚା’ ବ୍ୟବସାୟ କରିଥାନ୍ତି । ଭାରତର ଆସାମ ଓ ଦାର୍ଜିଲିଙ୍ଗର ଚା’ ସାରା ବିଶ୍ୱରେ ପ୍ରସିଦ୍ଧି ଅର୍ଜନ କରିଛି ।

ଭାରତ ଏବେ ବିଶ୍ୱରେ ଦ୍ୱିତୀୟ ସର୍ବବୃହତ ଚାଁ ଉତ୍ପାଦନକାରୀ ଦେଶ । ଚୀନ ସବୁଠାରୁ ଅଧିକ ଚା’ ଉତ୍ପାଦନ କରିଥାଏ । ଚା’ ଶ୍ରମିକଙ୍କ ଲାଗି ନିରାପଦ ପରିବେଶ ସୃଷ୍ଟି କରିବା ସହ ଚା’ ଉତ୍ପାଦନରେ ସୁଧାର ଆଣିବା ପାଇଁ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସର ମୂଳ ଲକ୍ଷ୍ୟ । ସେହିପରି ଏହି ଦିନ ଗ୍ରାମୀଣ ଅର୍ଥ ବ୍ୟବସ୍ଥାରେ ଚା’ର ଯୋଗଦାନକୁ ନେଇ ଲୋକଙ୍କ ମଧ୍ୟରେ ସଚେତନା ସୃଷ୍ଟି କରାଯାଏ । ବର୍ତ୍ତମାନ ସମୟରେ ଲୋକମାନେ ସ୍ୱାସ୍ଥ୍ୟୃ ସଚେତନତା ଦୃଷ୍ଟିରୁ ବିଭିନ୍ନ ପ୍ରକାରର ଚା’ ପିଉଛନ୍ତି । ସେହିପରି ଚଳିତ ବର୍ଷ ‘ଅନ୍ତର୍ଜାତୀୟ ଚା’ ଦିବସ’ ଥିମ୍ ରହିଛି ‘ଟି ଆଣ୍ଡ ଫେୟାର ଟ୍ରେଡ୍’ ।