କୋଭିଡ୍‌ ଯୋଦ୍ଧାଙ୍କ ସମ୍ମାନ ପାଇଁ ଆଜି ନିରବ ପ୍ରାର୍ଥନା : ସନ୍ଧ୍ୟା ୬ଟାରେ ସାରା ଓଡ଼ିଶା ଏକ ମିନିଟ୍ ନିରବ ପ୍ରାର୍ଥନା କରିବ

158

କନକ ବ୍ୟୁରୋ :  କୋଭିଡ୍‌ ଯୋଦ୍ଧାମାନଙ୍କର ମାନବ ଜାତି ପ୍ରତି ସର୍ବୋଚ୍ଚ ତ୍ୟାଗକୁ ପୁନଃ ସ୍ମରଣ କରିବା ଓ ସମ୍ମାନ ଜଣାଇବା ଲାଗି ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଘୋଷଣା କରିଛନ୍ତି। ସନ୍ଧ୍ୟା ୬ଟାରେ ସାରା ଓଡ଼ିଶା ଏକ ମିନିଟ୍ ପାଇଁ ନିରବ ପ୍ରାର୍ଥନା କରିବ। ସେ ସମୟରେ ନିଜ ଘରେ ବା ଯିଏ ଯେଉଁଠାରେ ଥାଆନ୍ତୁ, ସେଠାରେ ଠିଆ ହୋଇ ଏହି ନିରବ ପ୍ରାର୍ଥନା କରିବା ଲାଗି ନବୀନ କହିଛନ୍ତି ଓ ନିଜେ ସେ ଏହାର ନେତୃତ୍ୱ ନେବେ ବୋଲି ଜଣାଇଛନ୍ତି। କେବଳ ସେତିକି ନୁହେଁ, ଏହି ପ୍ରାର୍ଥନା ସଭା ପରେ ପରେ ସମସ୍ତେ ଶପଥ ନେବେ। ମୁଖ୍ୟମନ୍ତ୍ରୀ ନିଜେ ଟିଭି ଓ ସୋସିଆଲ ମିଡିଆ ଜରିଆରେ ସମସ୍ତଙ୍କୁ ଶପଥ ପାଠ କରାଇବେ । ନବୀନ କହିଛନ୍ତି ଯେ ଏହି ଯୁଦ୍ଧରେ ଆମ ପରିବାର ଓ ଆମର ସୁରକ୍ଷା ପାଇଁ କୋଭିଡ୍‌ ନିୟମାବଳୀର କଡ଼ାକଡ଼ି ପାଳନ ସଂପର୍କରେ ଏହି ଶପଥପାଠ ଦାୟିତ୍ୱବାନ ଭାବରେ କାର୍ଯ୍ୟ କରିବାପାଇଁ ପ୍ରେରଣା ଦେବ।

ଏଥିସହିତ କୋଭିଡ୍ ଯୋଦ୍ଧା ମାନଙ୍କୁ ସହଯୋଗ କରିବା, ସେମାନଙ୍କ କାର୍ଯ୍ୟକୁ ସମର୍ଥନ ଦେବା ତଥା ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇ ଦାୟିତ୍ୱ ପାଳନ କରିବା ପାଇଁ ଏହା ଶ୍ରେଷ୍ଠ ମାର୍ଗ ହେବ ବୋଲି କୁହାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମାନବ ଜାତି ଇତିହାସର ସବୁଠାରୁ କଷ୍ଟକର ପରିସ୍ଥିତି ଦେଇ ବର୍ତ୍ତମାନ ଗତି କରୁଛି। ମହାମାରୀ ଆଜି ସାରା ମାନବ ଜାତି ପାଇଁ ଏକ ଅଭୂତପୂର୍ବ ଆହ୍ୱାନ ସୃଷ୍ଟି କରିଛି ଏବଂ ପ୍ରତ୍ୟେକ ଦେଶ ଅତ୍ୟନ୍ତ ଗମ୍ଭୀର ପରିସ୍ଥିତି ଦେଇ ଗତି କରୁଛନ୍ତି। ଭାରତରେ ପ୍ରତି ଦିନ ପଚାଶ ହଜାରରୁ ଅଧିକ ନୂଆ ସଂକ୍ରମଣ ଦେଖା ଦେଇଛି। ବର୍ତ୍ତମାନ ଭାରତରେ ଦୈନିକ ସଂକ୍ରମଣ ବିଶ୍ୱରେ ସର୍ବାଧିକ। ଦେଶରେ ପରିସ୍ଥିତିର ଗମ୍ଭୀରତା ଏଥିରୁ ସ୍ପଷ୍ଟ ଅନୁମେୟ। ତେଣୁ ଏହାକୁ ଆଦୌ ହାଲକା ଭାବରେ ନେବା ଉଚିତ ନୁହେଁ। ଗତ ୫ ମାସ ହେଲା ରାଜ୍ୟ ମଧ୍ୟ କରୋନା ବିରୋଧରେ ସଂଗ୍ରାମ ଜାରି ରଖିଛି। ରାଜ୍ୟବାସୀ ଏହି ଲଢେଇରେ ସାମିଲ ହୋଇଛନ୍ତି।

Comments are closed.