ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ : କହିଲେ, ଓଡିଶା ପାଇଁ ଆଜି ଐତିହାସିକ ଦିନ

148

କନକ ବ୍ୟୁରୋ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ । କହିଲେ, ଓଡିଶା ପାଇଁ ଆଜି ଐତିହାସିକ ଦିନ । ସାରା ବିଶ୍ୱର ଜଗନ୍ନାଥପ୍ରେମୀଙ୍କ ପାଇଁ ଆଜିର ଦିନ ସ୍ମରଣୀୟ । ମୁଖ୍ୟମନ୍ତ୍ରୀ ପ୍ରକଳ୍ପର ଶିଳା ସ୍ଥାପନ କରିବା ପରେ ୩ ଦିନ ଧରି ଚାଲିଥିବା ଯଜ୍ଞର ପୂର୍ଣ୍ଣହୂତି ଦେଇଛନ୍ତି ଗଜପତି ମହାରାଜ । ଦିନ ୧୦ଟା ୩୦ରେ ଶ୍ରୀମନ୍ଦିର ଐତିହ୍ୟ କରିଡରର ଶିଳା ସ୍ଥାପନ କରାଯାଇଛି । ଐତିହ୍ୟ କରିଡର କାମର ଶୁଭାରମ୍ଭ କରିବା ପାଇଁ ସାଢେ ୯ଟା ସୁଦ୍ଧା ପୁରୀରେ ପହଂଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶଙ୍କରାଚାର୍ଯ୍ୟ, ଗଜପତି ଓ ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟଙ୍କ ସମେତ ପ୍ରାୟ ଶତାଧିକ ଅତିଥିଙ୍କ ଉପସ୍ଥିତିରେ ଶିଳାନ୍ୟାସ କାର୍ଯ୍ୟକ୍ରମ ସମାପନ ହୋଇଛି ।

ଏହାପରେ ପୁଷ୍ପାଞ୍ଜଳି ଓ ଯଜ୍ଞରେ ପୂର୍ଣ୍ଣାହୁତି ଦିଆଯାଇଛି । ଏହି ଐତିହ୍ୟ କରିଡର ପାଇଁ ଜମି ଦେଇଥିବା ଜମି ମାଲିକ ଓ ମଠ ମହନ୍ତଙ୍କୁ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ମୁଖ୍ୟମନ୍ତ୍ରୀ ପରିକ୍ରମା ମାର୍ଗ ମଡେଲ ଅନାବରଣ କରିଛନ୍ତି । ମହାଯଜ୍ଞ ଓ ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା ହୋଇଛି । ବଡଦାଣ୍ଡରୁ କେତେ ଉଠାଦୋକାନକୁ ଉଚ୍ଛେଦ କରାଯାଇଛି । ଦେକାନ ବନ୍ଦ ରଖିବାକୁ ବି ନିର୍ଦ୍ଦେଶ ଦିଆଯାଇଛି । ଆଜିର ଶିଳାନ୍ୟାସ ପରେ ପରିକ୍ରମା ମାର୍ଗ ନିର୍ମାଣ କାମ ଆରମ୍ଭ କରିବ ଟାଟା ପ୍ରକଳ୍ପ । ୧୮ ମାସ ମଧ୍ୟରେ କାମ ସାରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ୩୩୧କୋଟି ୩୮ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି ।